ବିଜେପିରେ ସାମିଲ ହେବେ ନାହିଁ ଏନସିପି ନେତା ଅଜିତ ପାଓ୍ବାର

ମୁମ୍ବାଇ : (ସଂକେତ୍ ଟିଭି) ଏନସିପି ନେତା ତଥା ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବର ବିଜେପିରେ ମିଶିବା ନେଇ ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ଅଜିତ ପାୱାର କହିଛନ୍ତି ମୁଁ ଏନସିପି ସହିତ ଅଛି ଏବଂ ଏନସିପି ସହିତ ରହିବି। ଅଜିତ ପାୱାର ଏନସିପି ଛାଡିବାର ଗୁଜବକୁ ମିଥ୍ୟା ଖବର ବୋଲି କହିଛନ୍ତି। ମୋ ବିଷୟରେ ପ୍ରସାରିତ ଗୁଜବରେ କୌଣସି ସତ୍ୟତା ନାହିଁ।

ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା ଯେ ଅଜିତ୍ ବିଜେପି ସହ ସମ୍ପର୍କରେ ଅଛନ୍ତି । ବିଜେପିରେ ମିଶିବା ପାଇଁ ଆଲୋଚନା ମଧ୍ୟ ଜାରି ରଖିଛନ୍ତି । ସେଥିପାଇଁ ସେ ଅନ୍ୟ କିଛି ଏନସିପି ବିଧାୟକଙ୍କ ହସ୍ତାକ୍ଷର ସଂଗ୍ରହ କରିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଅଜିତ୍‌ । କହିଛନ୍ତି ଏଥିରେ ସତ୍ୟତା ନାହିଁ କେବଳ ତାଙ୍କ ସମ୍ପର୍କରେ ଗୁଜବ ସୃଷ୍ଟି କରାଯାଉଛି । ଏପରି ଅନ୍ୟ ଦଳ ସହ କୌଣସି ଆଲୋଚନା କିମ୍ବା ହସ୍ତାକ୍ଷର ସଂଗ୍ରହ କରାଯାଇନାହିଁ ।

ଏହାପୂର୍ବରୁ ଶରଦ ପାୱାର ମଧ୍ୟ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିଦେଇଥିଲେ। ସେ କହିଥିଲେ ଏନସିପି ବିଧାୟକଙ୍କବୈଠକ କେହି ଡାକିନାହାଁନ୍ତି। ଚାଲିଥିବା ଗଣମାଧ୍ୟମର ରିପୋର୍ଟକ ମିଛ। ଏହି ସବୁ ଆଲୋଚନାର କୌଣସି ଗୁରୁତ୍ୱ ନାହିଁ ବୋଲି ସେ କହିଛନ୍ତି।

ଅଜିତ ପାଓ୍ବାର ହେଉଛନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବରଙ୍କ ପୁତୁରା । ସେ ଫଡନାଭିସ ନେତୃତ୍ବାଧୀନ ମେଣ୍ଟ ସରକାରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ । ସରକାର ଭାଙ୍ଗିବା ପରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେ ବିଜେପି ସହଯୋଗରେ ସରକାର ଗଠନ କରିବା ସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଅଜିତ ସିନ୍ଦେବିଜେପି ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ସେ ତାଙ୍କ ଦଳୀୟ ବିଧାୟକଙ୍କ ଦସ୍ତଖତ ସଂଗ୍ରହ କରିଥିବା ମଧ୍ୟ କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏପରି କରି ସେ ଦଳ ମୁଖ୍ୟ ତଥା ଦାଦା ଶରଦଙ୍କ ବିରୋଧରେ ବିଦ୍ରୋହ କରି ନିଜର ସମର୍ଥକଙ୍କ ବିଧାୟକଙ୍କ ସହ ସିନ୍ଦେ ବିଜେପି ଶାସକ ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ସେ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ସହ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।