ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ବର : (ସଂକେତ୍ ଟିଭି) ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ । ଏଥିରେ ଜଣେ ଷ୍ଟେସନ ଅଫିସର ଦୁଇ ଜଣ ଲିଡିଂ ଫାୟାରମ୍ୟାନ ଜଣେ ଡ୍ରାଇଭର ହାବିଲଦାର ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି ।

ସେହିପରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । କଟକ ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଞ୍ଜ ହେଡକ୍ବାର୍ଟର ରହିବ । ପ୍ରତ୍ୟେକ ରେଞ୍ଜ ହେଡକ୍ବାର୍ଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯିବ । ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ । ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର ଷ୍ଟେସନ ଅଫିସର ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ହାବିଲଦାର ମେଜର ଡ୍ରାଇଭର ହାବିଲଦାର ହାବିଲଦାର ମେକାନିକ୍ ଲିଡିଂ ଫାୟାରମ୍ୟାନ ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।