ଚେକ୍‌‌ ବାଉନ୍ସ ମାମଲା: ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ୬ ମାସ ଜେଲ୍‌‌ ଦଣ୍ଡାଦେଶ ଦେଲେ କୋର୍ଟ

ଭଦ୍ରକ : (ସଂକେତ୍ ଟିଭି) ଚେକ୍‌‌ ବାଉନ୍ସ ମାମଲାର ଶୁଣାଣୀ କରି ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଯୁକ୍ତକୁ ୯୦ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ସହ ଓ ୬ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପୁଣି ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନରେ ଖିଲାପ କଲେ ଅତିରିକ୍ତ ୧ମାସ ଜେଲ ଦଣ୍ଡାଦେଶ ଆଦେଶ କରିଛନ୍ତି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଆରସା ଗାଁର ଦେବୀପ୍ରସାଦ ପଣ୍ଡାଙ୍କ ପତ୍ନୀ ନିରୂପମା ପଣ୍ଡା ଭୁବନେଶ୍ୱର ସହରର ପାଣ୍ଡରା ମୌଜାରେ ଥିବା ନିଜ ଜମି ବିକ୍ରି କରିବା ଲାଗି ୨୦୧୮ ମସିହା ଜୁନ୍‌‌ ୨୩ ତାରିଖରେ ଭଦ୍ରକ ଅପର୍ତ୍ତିବିନ୍ଧା ନିବାସୀ ଅନ୍ନପୂର୍ଣ୍ଣା ସାହୁଙ୍କ ସହ ଚୁକ୍ତିନାମା କରିଥିଲେ। ଚୁକ୍ତିନାମା ମୂଳେ ନିରୂପମା ସ୍ଥିରୀକୃତ ମୂଲ୍ୟର ଅଗ୍ରୀମ ବାବଦକୁ ନଗଦ ୧୫ଲକ୍ଷ ଟଙ୍କା ନେବା ସହ ୨୫ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍‌‌ ଜରିଆରେ ଅନ୍ନପୂର୍ଣ୍ଣାଙ୍କଠାରୁ ନେଇଥିଲେ। ୪୦ ଲକ୍ଷ ଟଙ୍କା ଅଗ୍ରୀମ ନେବା ପରେ ବି ନିରୁପମା ତଞ୍ଚକତା କରି ଶ୍ରୀମତୀ ସାହୁଙ୍କ ଅଗୋଚରରେ ଉକ୍ତ ଜମିକୁ ଅନ୍ୟଜଣଙ୍କୁ ବିକ୍ରି କରିଦେଇଥିଲେ।

ଏହାପରେ ମଧ୍ୟ ଟଙ୍କା ଆବଶ୍ୟକ ଅଛି ଦର୍ଶାଇ ନିରୁପମା ୩ଟି କିସ୍ତିରେ ୨୫ଲକ୍ଷ ଟଙ୍କା ବ୍ୟାଙ୍କ ଜରିଆରେ ଶ୍ରୀମତୀ ସାହୁ ଠାରୁ ନେଇଥିଲେ। ମୋଟ ୬୫ଲକ୍ଷ ଟଙ୍କା ଦେବା ପରେ ଶ୍ରୀମତୀ ସାହୁ ଜମିର କବଲା କରିବାକୁ କହିବାରୁ ନିରୁପମା ଆଜିକାଲି କହି ଦିନ ପରେ ଦିନ ଗଡ଼ାଇ ଥିଲେ। ପରେ ଏ ନେଇ ଅନୁସନ୍ଧାନ କରିବାରୁ ଉକ୍ତ ଜମିଟି ଅନ୍ୟ ଜଣଙ୍କୁ ବିକ୍ରି ସରିଥିବା ଜାଣିବାକୁ ପାଇ ଶ୍ରୀମତୀ ସାହୁ ଟଙ୍କା ଫେରସ୍ତ ପାଇଁ ନିରୁପମାଙ୍କୁ କହିଥିଲେ। ନିରୁପମା ୨୦୧୮ ମସିହା ଡିସେମ୍ବର ୩୦ତାରିଖରେ ୬୫ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଚେକ୍‌‌ ଶ୍ରୀମତୀ ସାହୁଙ୍କୁ ଧରାଇ ଦେଇଥିଲେ। ନିରୁପମାଙ୍କ ଜମା ଖାତାରେ ଟଙ୍କା ନ ଥିବାରୁ ଉକ୍ତ ଚେକ୍‌‌ ଟି ବାଉନସ୍‌‌ ହୋଇଯାଇଥିଲା।

ଏହା ପରେ ନ୍ୟାୟ ପାଇଁ ଶ୍ରୀମତୀ ସାହୁ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଉକ୍ତ ମାମଲାର ବିଚାର କରି ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ମୟ ପାଢ଼ୀ ନିରୁପମାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୯୦ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।