ଆଇସିଏମ୍ଆର୍ ଅଧ୍ୟୟନରୁ ନୂଆ ତଥ୍ୟ, ଭାରତୀୟଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ଲୌହ ସାର, ଜିଙ୍କ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟମାନଙ୍କର ଖାଦ୍ୟ ତାଲିକାରେ ଲୌହ ସାର, ଜିଙ୍କ୍, ଫାଇବର ଭରପୁର ଭାବେ ରହୁଛି । ଏମାନେ ନିୟମିତ ଚାହା ପିଇବା ସହ ତାଙ୍କ ଭୋଜନରେ ହଳଦୀକୁ ମଧ୍ୟ ବ୍ୟବହାର କରିଥାନ୍ତି । ଫଳରେ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଓ ଏଥିରେ ଆକ୍ରାନ୍ତ ଗୁରୁତ୍ୱର ହେବା ସଂଖ୍ୟା ବିଶ୍ୱ ତୁଳନାରେ ଭାରତରେ କମ୍ ରହିଛି ବୋଲି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।
ଆଇସିଏମ୍ଆର୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ କୋଭିଡ ଜନିତ ମୃତ୍ୟୁ ହାର ୫ ରୁ ୮ ଗୁଣା କମ୍ ରହିଥିଲା । ଏହି ଅଧ୍ୟୟନଟି ଅନ୍ତର୍ଜାତିକ ବୈଜ୍ଞାନିକ ଟିମ୍ମାନଙ୍କୁ ନେଇ କରାଯାଇଥିଲା । ଯେଉଁଥିରେ ଭାରତ, ବ୍ରାଜିଲ୍, ଜୋଡାନ, ସୁଇଜରଲ୍ୟାଣ୍ଡ, ସାଉଦିଆରବ ଆଦିର ବିଶେଷଜ୍ଞମାନେ ରହିଥିଲେ । ସେମାନେ କୋଭିଡ-୧୯ର ଭୟାବହତା ଓ ମୃତ୍ୟୁ ସଂଖ୍ୟାକୁ ନେଇ ପାଶ୍ଚାତ୍ୟ ଦେଶ ଓ ଭାରତର ଜନସଂଖ୍ୟା ମଧ୍ୟରେ ଏକ ପାର୍ଥକ୍ୟକୁ ଅନୁଧ୍ୟାନ କରିଥିଲେ ।
ଟିମ୍ ପକ୍ଷରୁ କୁହାଯାଇଛି ଯେ ଭାରତୀୟଙ୍କ ଖାଦ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡିକ କିଟୋକାଇନ୍ଙ୍କୁ କମାଇବାରେ ସଫଳ ହୋଇଛି । ଯାହା ଫଳରେ କି ମୃତ୍ୟୁ ହାର କମ୍ ରହିଛି । ଅନୁଧ୍ୟାନରୁ ଜଣାପଡିଛି ଯେ ଭାରତୀୟମାନେ ତାଙ୍କ ଖାଦ୍ୟରେ ଅଧିକ ଲୌହ ସାର ସହିତ ଜିଙ୍କ ଥିବା ଖାଦ୍ୟକୁ ଖାଉଛନ୍ତି । ସେମାନଙ୍କ ଖାଦ୍ୟରେ ଅଧିକ ଫାଇବର ରହିଛି । ଯାହା କାର୍ବନ ଡାଇଅକ୍ସାଇଡ, ଲିପୋଲୋସାକ୍ରାଇଡକୁ କମାଇବାରେ ସାହାଯ୍ୟ କରିଥାଏ । ଭାରତୀୟମାନେ ମଧ୍ୟ ଭଲ କୋଲୋଷ୍ଟ୍ରଲ ଏଚ୍ଡିଏଲ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଯାହା ଫଳରେ କି କାଡିଓ ଭାସ୍କୁଲାର ରୋଗ କମ୍ ହୋଇଥାଏ । ବିଶେଷ କରି ଚା’ ପିଇବାର ଫାଇଦା ରକ୍ତରେ ଟିଜିକୁ କମ୍ କରିବାରେ ସହାୟକ ହୋଇଥାଏ ।
ଭାରତୀୟମାନେ ତାଙ୍କ ଖାଦ୍ୟରେ ଦୈନିକ ହଳଦୀର ବ୍ୟବହାର କରୁଥିବାରୁ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି । ତେବେ ଅଧିକ ମାତ୍ରାରେ ମାଂସ ଖାଇବା, ଦୁଗ୍ଧ ଜାତୀୟ ସାମଗ୍ରୀ, ପ୍ରୋସେସିଂ ଖାଦ୍ୟ ଯୋଗୁ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ପାଶ୍ଚାତ୍ୟ ଦେଶରେ ବଢ଼ିଛି ବୋଲି ଏହି ଅଧ୍ୟୟନରୁ ଜଣାପଡିଛି ।