କ୍ୟାମିକାଲ ପାଣିରୁ ଟଙ୍କା ବାହାରୁଛି କହି ଶିକ୍ଷକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ, ଜଣେ ଗିରଫ
ବାଲେଶ୍ବର : (ସଂକେତ୍ ଟିଭି) କ୍ୟାମିକାଲରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ହେଇଯାଉଥିବା କହି ଜଣେ ଘରୋଇ ସ୍କୁଲର ଶିକ୍ଷକଙ୍କଠାରୁ ୧ ଲକ୍ଷ ୧୦ହଜାର ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ପୋଲିସ ଜଣ ଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଖନ୍ତାପଡ଼ା ଅଞ୍ଚଳର କିଛି ଯୁବକ ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଯୁବ ଶିକ୍ଷକ ସନ୍ତୋଷ କୁମାର ମହାକୁଡ଼ଙ୍କ ପାଖରୁ ୧ ଲକ୍ଷ ୧୦ହଜାର ଟଙ୍କା ଠକେଇ କରିଥିବା ଗତ ମଙ୍ଗଳବାର ଦିନ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଠକମାନେ କହିଥିଲେ ଯେ କ୍ୟାମିକାଲରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ହେଇଯାଉଛି । ତେଣୁ ସନ୍ତୋଷ ଲୋଭରେ ସେହି କ୍ୟାମିକାଲ ନେବାକୁ ରାଜି ହୋଇଥିଲେ। ସେହି କ୍ୟାମିକାଲ ସାଧାକାଗଜରେ ବୁଡ଼ାଇଲେ ୫୦୦ ଟଙ୍କିଆ ନୋଟ ହୋଇଯାଉଛି ବୋଲି କହିବା ପରେ ତାଙ୍କ ନିକଟରୁ ଟଙ୍କା ଠକେଇ କରି ନେଇଯାଇଥିଲେ। ଏହି ଟଙ୍କା ନେବାକୁ ତାଙ୍କୁ ପାଖାପାଖି ଗୋଟିଏ ମାସ ସମୟ ଲାଗିଥିଲା ଓ ଧୀରେ ଧୀରେ ଏମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିଉଠିଥିଲା।
ପରେ ସନ୍ତୋଷ ବୀରମହାରାଜପୁରରୁ ଆସି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଦଣ୍ଡକାଳୀ ମନ୍ଦିର ପାଖକୁ ଡାକିଥିଲେ। କିନ୍ତୁ ଠକମାନେ ନିର୍ଦ୍ଧାରିତ ସ୍ଥାନକୁ ନଆସିବାରୁ ସନ୍ତୋଷ କିଛି ଲୋକଙ୍କ ସାହାଯ୍ୟ ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଖନ୍ତାପଡ଼ା ପୁଲିସ ତଦନ୍ତ କରି ଏହି ଘଟଣାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୪ ଜଣ ସମ୍ପୃକ୍ତ ଥିବା ବେଳେ ଜଣେ ଗିରଫ ହୋଇଛନ୍ତି।