ଗ୍ରାମବାସୀଙ୍କ ହାବୁଡ଼ରେ ପଡିଗଲେ ୬ ଚୋର

ଭଦ୍ରକ : (ସଂକେତ୍ ଟିଭି) ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡ଼ରେ ପଡିଗଲେ ୬ ଚୋର । ଭଦ୍ରକ ଜିଲ୍ଲା ସରସଦା ପଞ୍ଚାୟତ ଉତ୍ତରା ଗଡ଼ିଆ ଗ୍ରାମର ଲୋକେ ଏହି ଚୋରମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ଚୋରିରେ ବ୍ୟବହାର ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ସରସଦା ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ଚୋରି ବୃଦ୍ଧି ପାଉଥିଲା । ଏନେଇ ଥାନାରେ ପ୍ରାୟ ଅଭିଯୋଗ କରାଯାଇଥିଲା । ପୋଲିସ ଚୋରଙ୍କ ପତ୍ତା ପାଉନଥିଲା । ଗାଁରେ ରାତିରେ ଲୁଟ ବଢ଼ୁଥିବାରୁ ପାଳି କରି ଜଗୁଥିଲେ ଗାଁ ଲୋକେ । ସନ୍ଧ୍ୟା ବେଳେ ସରସଦା ପଞ୍ଚାୟତ ଉତ୍ତରା ଗଡ଼ିଆ ଗ୍ରାମର ଲୋକେ ଜଗିଥିବା ବେଳେ କିଛି ଅଜଣା ଯୁବକ ବାହାରି ସରସଦା ଅଭିମୁଖେ ଯାଉଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଦେଖି ସନ୍ଦେହ ବଢିଥିଲା । ଗ୍ରାମବାସୀ ଅଟକ ରଖି ପଚରାଉଚରା କରିଥିଲେ । ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଶେଷରେ ସେମାନେ ଚୋର ବୋଲି ଜଣାପଡ଼ିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ୬ ଅଟକ ଯୁବକଙ୍କୁ ଥାନାକୁ ଆଣିଛି । ଅଧିକ ତଦନ୍ତ ନିମନ୍ତେ ସେମାନଙ୍କ ପରିଚୟ ପ୍ରକାଶ କରାଯାଇନି । ତେବେ ସେମାନଙ୍କଠାରୁ ଚୋରିରେ ବ୍ୟବହାର ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।