କୋର୍ଟ ପରିସରରେ ମହିଳାଙ୍କ ଉପରେ ଗୁଳିମାଡ କଲେ ଓକିଲ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ସାକେତ୍ ଜିଲ୍ଲା ଅଦାଲତ ପରିସରରେ ଜଣେ ଓକିଲ ଗୁଳି ଚଳାଇବାରୁ ଜଣେ ମହିଳା ଓ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଗୁଳିକାଣ୍ଡ ପରେ ଓକିଲ ୟୁନିଫର୍ମରେ ଥିବା ଅଭିଯୁକ୍ତ ଜଣକ କ୍ୟାଣ୍ଟିନ୍ର ପଛ ଦ୍ବାର ବାଟେ ଖସି ପଳାଇଥିବା ଜଣାପଡିଛି।
‘ଡିସିପି ସାଉଥ୍’ ଚନ୍ଦନ ଚୌଧୁରୀ କହିଛନ୍ତି କହିଛନ୍ତି, ଆହତ ମହିଳା ଜଣକ ହେଉଛନ୍ତି ୪୦ ବର୍ଷୀୟ ଏମ୍. ରାଧା । ତାଙ୍କ ପେଟରେ ଗୋଟିଏ ଏବଂ ହାତରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ସାକେତ୍ସ୍ଥିତ ‘ମ୍ୟାକ୍ସ୍ ହସ୍ପିଟାଲ୍’କୁ ନିଆଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଆକ୍ରମଣକାରୀଜଣକ ଓକିଲ କାମେଶ୍ୱର ପ୍ରସାଦ ସିଂ ବୋଲି ଚିହ୍ନଟ ହୋଇଛନ୍ତି। ତାଙ୍କୁ ପୂର୍ବରୁ ବାର୍ କାଉନ୍ସିଲ୍ରୁ ବିତାଡ଼ିତ କରାଯାଇଥିଲା। ତାଙ୍କ ନାମରେ ଉକ୍ତ ମହିଳା ଏବଂ ଆଡ୍ଭୋକେଟ୍ ରାଜେନ୍ଦର୍ ଝା ଠକେଇ ମାମଲା ରୁଜୁ କରିଥିଲେ। ଆଜି ଉକ୍ତ ମାମଲାର ଶୁଣାଣି ଥିଲା।
ସାକେତ କୋର୍ଟ ବାର ଆସୋସିଏସନ ସଭାପତି ବିନୋଦ ଶର୍ମାଙ୍କ କହିବାନୁଯାୟୀ, କାମେଶ୍ୱର ପ୍ରସାଦ ସିଂ ସାକେତ କୋର୍ଟରେ ଓକିଲ ଭାବେ କାର୍ଯ୍ୟରତ ଥିବା ବେଳେ ରାଜେନ୍ଦ୍ର ଝାଙ୍କ ମହକିଲ ଥିବା ସମ୍ପୃକ୍ତ ମହିଳାଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଏହାପରେ ସେ ତାଙ୍କୁ ୨୫ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ମାତ୍ର ଟଙ୍କା ମାଗିବାରୁ ମହିଳାଜଣକ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏନେଇ ଥାନାରେ ମାମଲା ବି ହୋଇଥିବା ବେଳେ କୋର୍ଟରେ କେସ୍ ଚାଲିଥିଲା।
ଆଜି ମହିଳାଜଣକ କୋର୍ଟକୁ ଆସିଥିବା ବେଳେ କାମେଶ୍ୱର ପ୍ରସାଦ ସିଂ ମଧ୍ୟ କୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ ମହିଳାଙ୍କ ଉପରକୁ ୪ ରାଉଣ୍ଡ ଫାୟାରିଂ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ୪/୫ ରାଉଣ୍ଡ ଗୁଳି ମଧ୍ୟରୁ ଗୋଟିଏ ମହିଳାଙ୍କ ପେଟରେ ଓ ଅନ୍ୟ ୩ ଟି ଶରୀରର ଅନ୍ୟ ସ୍ଥାନରେ ଲାଗିଛି। ଅଭିଯୁକ୍ତ କ୍ୟାଣ୍ଟିନ୍ର ପଛ ଦ୍ବାର ବାଟେ ଖସି ପଳାଇଛନ୍ତି। ତାଙ୍କୁ ଧରିବା ଲାଗି ଟିମ୍ ଗଠନ କରାଯାଇଛି ବୋଲି ‘ଡିସିପି’ କହିଛନ୍ତି।