ଗୁଡୁ ମୁସଲିମର ବରଗଡ ଲିଙ୍କ୍, ଏସଟିଏଫ ର ତନାଘନା

ସମ୍ବଲପୁର : (ସଂକେତ୍ ଟିଭି) ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମର ବରଗଡ ଲିଙ୍କ୍ ଥିବା ମଧ୍ୟ ଜଣାପଡିଛି । ଏଥିପାଇଁ ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ ଆସିଥିବା ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ୟୁପିର ଏସ୍‌ଟିଏଫ୍‌ର ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇ ଦିନ ଯାଏଁ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ। ୧୮ ଓ ୧୯ ତାରିଖ ଦୁଇ ଦିନ ୟୁପିର ଏସ୍‌ଟିଏଫ୍‌ ଟିମ୍ ବରଗଡ଼ରେ ରହିଥିଲେ। ଗତକାଲି ଏଠାରୁ ସେମାନେ ଯାଇଥିଲେ। ବରଗଡ଼ ଆସିବା ପରେ STF ଟିମ୍‌ ଆମକୁ ଅବଗତ କରିଥିଲେ। ଆଇନ ଅନୁସାରେ ଭେରିଫିକେସନ ପାଇଁ ସହାୟତା କରିଥିଲୁ।

ସୂଚନା ଅନୁସାରେ, ଗୁଡୁ ମୁସଲିମ୍ ର ମୋବାଇଲ ଟ୍ରାକିଂରୁ ତା’ର ଓଡ଼ିଶା ଲିଙ୍କ୍ ମିଳିଛି । ଗୁଡୁ ପୋଲିସ ହାତରୁ ବଞ୍ଚିବା ପାଇଁ ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଉଥିବାବେଳେ ସେ କିଛି ଦିନ ତଳେ ପୁରୀ ଆସିଥିବାର ଜଣାପଡିଥିଲା । ଗୁଡୁ ପୋଲିସ ହାତରୁ ବଞ୍ଚିବା ପାଇଁ ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଉଥିବାବେଳେ ସେ କିଛି ଦିନ ତଳେ ପୁରୀ ଆସିଥିବାର ଜଣାପଡିଥିଲା । ଏପରିକି ଏହି କୁଖ୍ୟାତ ଅପରାଧିର ବରଗଡ ଲିଙ୍କ୍ ଥିବା ମଧ୍ୟ ଜଣାପଡିଛି । ଏହି ସମୟରେ ଏସଟିଏଫ ଟିମ୍ ରାଜା ଖାନ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା କରିଥିବା ସୂଚନା ମିଳିଛି । ରାଜା ଖାନ ହେଉଛନ୍ତି ଗୁଡୁ ମୁସଲିମର ଡ୍ରାଇଭରର ସହଯୋଗୀ। ରାଜାଙ୍କ ପାଖରେ ଗୁଡୁ ମୁସଲିମର ଡ୍ରାଇଭର ଲୁଚି ରହିଥିବା ୟୁପିର ଏସ୍‌ଟିଏଫ୍‌ ଟିମ୍ ମୋବାଇଲ୍ ଟ୍ରାକିଂରୁ ଜାଣିପାରିଥିଲା। ତେଣୁ ଟିମ୍ ବରଗଡ଼ ଆସି ରାଜାଙ୍କୁ ଜେରା କରିଛି।

ନିଜ ଡ୍ରାଇଭର ସହ ଗୁଡୁ ମୁସଲିମର ଘନିଷ୍ଠ ସମ୍ପର୍କ ଥିଲା। ଯଦି ଡ୍ରାଇଭର ବରଗଡ଼ରେ ଆସି ରହୁଥିଲା, ତାହାହେଲେ ଗୁଡ଼ୁ ମୁସଲିମ ମଧ୍ୟ ବରଗଡ଼ ଆସି ରହିଥିବା ସନ୍ଦେହ କରାଯାଉଛି। ରାଜା ଖାନର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ । ହେଲେ ସୀମାନ୍ତ ଜିଲ୍ଲା ବରଗଡର ସୋହେଲାରେ ତାର ବ୍ୟବସାୟ ରହିଛି । ସେ ଜଣେ ଟ୍ରକ ବ୍ୟବସାୟୀ ।

ରାଜାଙ୍କ ସହ ଗୁଡୁ ମୁସଲିମର ଡ୍ରାଇଭର କେତେ ଦିନର ସମ୍ପର୍କ? ବ୍ୟବସାୟିକ ସମ୍ପର୍କ ଥିଲା ନ ଆଉ କିଛି ସମ୍ପର୍କ ରହିଥିଲା? ରାଜା କେବେ ଉତ୍ତର ପ୍ରଦେଶ ଯାଇଛନ୍ତି କି? ରାଜାଙ୍କ ନାଁରେ ଥାନାରେ ମାମଲା ଅଛି କି? ସେନେଇ ପୁଲିସ ତନାଘନା ଚଲାଇଛି।

ପ୍ରକାଶଥାଉ କି, ଉତ୍ତରପ୍ରଦେଶର ଜଣେ କୁଖ୍ୟାତ ଅପରାଧି ହେଉଛି ଗୁଡୁ ମୁସଲିମ । ଉମେଶ ପାଲ ହତ୍ୟାକାଣ୍ଡରେ ଜଡିତ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ସେ ଅନ୍ୟତମ । ଏହି ଅଭଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଗୁଡୁ ସମେତ ୪ ଜଣ ଫେରାର୍ ଅଛନ୍ତି । ତାକୁ ଧରିବା ପାଇଁ ଉତ୍ତରପ୍ରଦେଶର ଏସଟିଏଫ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ।