ଟ୍ରକ୍କୁ ପଛରୁ ପିଟିଲା ସ୍କପିଓ; ୨ ଯୁବକ ମୃତ, ଜଣେ ଗୁରୁତର
ଭଦ୍ରକ : (ସଂକେତ୍ ଟିଭି) କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପଶ୍ଚିମବଙ୍ଗର ଏକ ସ୍କର୍ପିଓ ଏକ ଟ୍ରକକୁ ପଛରୁ ଧକ୍କା ମାରିବାରୁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲ ହାଇଟେକ କଲେଜ ପାଖରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, କୋଲକାତାରୁ ଭୁବେନେଶ୍ୱର ଅଭିମୁଖେ ଯାଉଥିବା ପଶ୍ଚିମବଙ୍ଗର ଏକ ସ୍କର୍ପିଓ (ଡବ୍ଲୁବି ୩୮ଏଏସ୨୬୯୬) ଆଗ ଚକ ଫାଟିବାରୁ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପାଖରେ ଏକ ଟ୍ରକକୁ ପଛରୁ ଧକ୍କା ମାରିଥିଲା। ଧକ୍କା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ପଲାଇ ଯାଇଥିଲା ବେଳେ ସ୍ଥାନୀୟ ଲୋକେ ସ୍କପିଓରେ ଥିବା ଡ୍ରାଇଭର ସମେତ ତିନିଜଣକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇଥିଲେ।