ମୋ ବିପଦ ସମୟରେ ରାହୁଲ ଗାନ୍ଧୀ ସହଯୋଗ କରିଥିଲେ: ରମ୍ୟା
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ରମ୍ୟା ଓରଫ ଦିବ୍ୟା ସ୍ପନ୍ଦନା ରାହୁଲ ଗାନ୍ଧୀ ତାଙ୍କୁ କିଭଳି ସହଯୋଗ କରିଥିଲେ ସେ ମନେ ପକାଇ ଜାତୀୟ ଗଣମାଧ୍ୟମରେ ସ୍ମୃତି ବଖାଣିଛନ୍ତି । କିଭଳି ବିପଦ ସମୟରେ ରାହୁଲ ତାଙ୍କୁ ସହଯୋଗ କରିଥିଲେ ରମ୍ୟା ତାହା ସ୍ୱୀକାର କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରମ୍ୟା ତାଙ୍କ ସ୍ମୃତି ବଖାଣିଥିଲେ । ରାହୁଲ ଗାନ୍ଧୀଙ୍କ ସହ ତାଙ୍କର କିଭଳି ସମ୍ପର୍କ ଅଛି ବୋଲି ପ୍ରଶ୍ନରେ ରମ୍ୟା ପୁରୁଣା ସ୍ମୃତି ମନେ ପକାଇଥିଲେ । ସେ କହିଥିଲେ, ୨୦୧୩ରେ ମୁଁ ନାମାଙ୍କନ ଭରିବା ଦିନ ମୋ ବାପା ଚାଲିଯାଇଥିଲେ । ଏହା ମୋ ପାଇଁ ସବୁଠାରୁ ଖରାପ ଦିନ ଥିଲା । ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲି । ଶୋକ ପ୍ରକାଶ କରିବାକୁ ମୋତେ ସମୟ ମିଳି ନଥିଲା ଯେତେବେଳେ ମୁଁ ନିର୍ବାଚନ ହାରିଲି ସେତେବେଳେ ମୁଁ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲି । ଏହି କଠିନ ସମୟରୁ ଉଦ୍ଧାର ପାଇବାକୁ ସେ ମୋତେ ସାହାଯ୍ୟ କରିଥିଲେ । ଜୀବନରୁ ମୋର ଆଶା ହିଁ ଉଠିଯାଇଥିଲା । ଯଦି ସେ ନଥାନ୍ତେ ତେବେ ମୁଁ ପୁଣି ଥରେ ଫେରିଆସି ନଥାନ୍ତି ।
ରାହୁଲଙ୍କ ଲୋକପ୍ରିୟତା ଓ ସାହସକୁ ନେଇ ରମ୍ୟା କହିଛନ୍ତି ଯେ ମୋତେ ଲାଗୁନି ଯେ ରାହୁଲଙ୍କୁ କୌଣସି ପ୍ରକାର ନୂଆ କରି ଦେଖାଇବାର ଆବଶ୍ୟକତା ରହିଛି । କାରଣ ସାଂସଦ ପଦ ଓ ସରକାରୀ ଘର ଯିବା ପରେ ବି ସେ ଆଦାନୀ ପ୍ରସଙ୍ଗ ଉଠାଉଛନ୍ତି । ଏଥିପାଇଁ ସାହସ ଦରକାର, ଯାହା ତାଙ୍କ ପାଖରେ ଅଛି ବୋଲି ରମ୍ୟା କହିଛନ୍ତି ।
ସେହିପରି କର୍ଣ୍ଣାଟକରେ ବିଜେପିର ସ୍ଥିତି ନେଇ ରମ୍ୟା କହିଛନ୍ତି ଯେ ଦକ୍ଷିଣ ଭାରତରେ ବିଜେପି ପଛରେ ରହିଛି । ସ୍ଥାନୀୟ ପ୍ରସଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଲୋକମାନେ ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ବ ଦିଅନ୍ତି । ମୋତେ ଲାଗୁନି ଯେ ସେଠି କୌଣସି ଲହର କି ଅନ୍ୟ କିଛି ଅଛି । କଂଗ୍ରେସ ସବୁବେଳେ ସତ କହିବା ଜାରି ରଖିବା ଉଚିତ୍ । ସେମାନେ ବି ଏହିସବୁ ପ୍ରସଙ୍ଗ ଉଠାଇବା ଦରକାର । ଯଦି ଆପଣମାନେ ଗୋଟିଏ କଥାକୁ ବାରମ୍ବାର ଉଠାଇବେ ତେବେ ଲୋକମାନେ ହୁଏଥ ରାଫେଲ ଡିଲ୍ ଉପରେ ଏକମତ ହୋଇ ନପାରନ୍ତି । କଂଗ୍ରେସ ଏଥର ବହୁମତରେ ନିର୍ବାଚନ ଜିତିବ ବୋଲି ରମ୍ୟା କହିଛନ୍ତି ।
ସୂଚନା ଥାଉକି ମାଣ୍ଡ୍ୟାର ପୂର୍ବତନ ସାଂସଦ ରମ୍ୟା ୨୦୧୯ରେ କଂଗ୍ରେସ ସୋସିଓଆଲ୍ ମିଡିଆ ସେଲ୍ ଦାୟିତ୍ୱରୁ ଓହରିବା ପରେ ରାଜନୀତିରୁ ଗାୟବ ହୋଇଯାଇଥିଲେ । ଏବେ ନିର୍ବାଚନ ହେବାକୁ ଥିବା ବେଳେ ଷ୍ଟାର୍ ପ୍ରଚାରକ ତାଲିକାର ତାଙ୍କ ନାଁ ରହିଛି ।