ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦଘାଟିତ
ଭୁବନେଶ୍ବର : (ସଂକେତ୍ ଟିଭି) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଭୁବନେଶ୍ବରଠାରୁ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରୁ ଦଳର ଛାମୁଆ ନେତା ଏହି କାର୍ଯ୍ଯକ୍ରମରେ ସାମିଲ ହୋଇଛନ୍ତି ।
ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ନୂଆ କାର୍ଯ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ୟୁନିଟ ୬ସ୍ଥିତ ସେହି ପୁରୁଣା ଜାଗାରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି ।

ଶଙ୍ଖ ଭବନର ଉଦଘାଟନ କରିବା ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ବହୁତ ଖୁସି । ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି। ଏହି ଭବନ ନିର୍ମାଣରେ ଯୁବ, ଛାତ୍ର, ମହିଳା କର୍ମୀମାନଙ୍କ ଅବଦାନ ରହିଛି। ୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ନୂଆ ଆରମ୍ଭ ହୋଇଥିଲା। ବିଜୁ ଆଦର୍ଶ ଓ ସ୍ୱାଭିମାନର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହିଛି ବିଜେଡି। ଏବେ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ବିଜୟର ଶଙ୍ଖ ବାଜି ଚାଲିଛି। ଏହି ଶଙ୍ଖ ଭବନ ହେବ ଓଡ଼ିଶାବାସୀଙ୍କ ପ୍ରିୟ ଭବନ। ଓଡ଼ିଶାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିବ ଏହି ଶଙ୍ଖ ଭବନ। ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଶଙ୍ଖ ଭବନ। ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କଳା, ସାହିତ୍ୟ,ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ଶଙ୍ଖ ଭବନ। ବିଶ୍ୱଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିବ।
ସୂଚନାଯୋଗ୍ୟ ଯେ ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ତାବିଜ ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ। ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ।
ଓଡ଼ିଶାର କଳା, ଭାସ୍କର୍ଯ୍ୟର ଛାପ ପଦର୍ଶନ କରୁଥିବା ପଥରର କାରୁକାର୍ଯ୍ୟ ଏଥିରେ ସ୍ଥାନ ପାଇଛି। ବେସମେଣ୍ଟରେ ରହିଛି ବିଶାଳ ପାର୍କିଙ୍ଗ ସ୍ଥଳ, ଯେଉଁଥିରେ ପ୍ରାୟ ୪୦ଟି କାର ପାର୍କିଙ୍ଗ କରିବା ଭଳି ସ୍ଥାନ ରହିଛି। ବେସମେଣ୍ଟ ଉପରେ ରହିଛି ତିନି ମହଲା କୋଠା। ପ୍ରଥମ ମହଲାରେ ବିରାଟ ହଲ ଓ ପ୍ରେସ କନଫରେନ୍ସ ହଲ ମଧ୍ୟ ରହିଛି। ଏଥିସହ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡିଟୋରିୟମ ରହିଛି।ବିଲଡିଂରେ କ୍ୟାଣ୍ଟିନ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ଦ୍ଵିତୀୟ ମହଲାରେ ଛାମୁଆ ସଂଗଠନ, ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଥିସହ ଆଇଟି ସେଲ ମଧ୍ୟ ବିଲଡିଂରେ କାର୍ଯ୍ୟ କରିବ। ଏହାଛଡ଼ା ଏଥିରେ ପ୍ରାୟ ୩୦ଟି ପ୍ରକୋଷ୍ଠ ମଧ୍ୟ ରହିଛି। ବିଲଡିଂର ଦ୍ଵିତୀୟ ମହଲାରେ ଦଳର ସଭାପତିଙ୍କ କାର୍ଯ୍ୟାଳୟ ରହିଛି।