ଆତ୍ମସମର୍ପଣ କଲେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହ

ଚଣ୍ଡିଗଡ : (ସଂକେତ୍ ଟିଭି) ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହ ପଞ୍ଜାବର ମୋଗା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିବା ପୂର୍ବରୁ ମୋଗା ଜିଲ୍ଲାର ରୋଡେ ଗାଁସ୍ଥିତ ଗୁରୁଦ୍ବାରରେ ଅମୃତପାଲ୍‌ ଧାର୍ମିକ ଉଦ୍‌ବୋଧନ ଦେଇଥିଲେ। ଶନିବାର ସନ୍ଧ୍ୟାରେ ଗୁରୁଦ୍ବାରରେ ପହଞ୍ଚି ସେ ପୁଲିସକୁ ନିଜ ଉପସ୍ଥିତି ବିଷୟରେ ସୂଚନା ଦେଇଥିଲେ। ସେ ମାର୍ଚ ୧୮ ତାରିଖରୁ ଫେରାର ହୋଇ ଯାଇଥିଲେ।

ଆତ୍ମସମର୍ପଣ କରି ଗିରଫ ହୋଇଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହଙ୍କୁ ଆଜି ବିମାନ ଯୋଗେ ଆସମର ଡିବ୍ରୁଗଡ଼ ସେଣ୍ଟ୍ରାଲ୍‌ ଜେଲ୍‌କୁ ପଠାଯାଇଛି ବୋଲି ପଞ୍ଜାବ ‘ଆଇଜିପି’ ସୁଖଚୈନ୍‌ ସିଂହ ଗିଲ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ଅମୃତପାଲ୍‌ ସିଂହ ଓ ତାଙ୍କ ସମର୍ଥକମାନେ ଖଣ୍ଡା, ବନ୍ଧୁକ ଆଦି ଅସ୍ତ୍ରଶସ୍ତ୍ର ଧରି ବାରିକେଡ୍‌ ଭାଙ୍ଗି ବଳପୂର୍ବକ ଅମୃତସର ନଗରୀ ଉପକଣ୍ଠରେ ଅବସ୍ଥିତ ଅଜ୍‌ନାଲା ଥାନାରେ ପ୍ରବେଶ କରିଥିଲେ। ତା’ପରେ ସେମାନେ ସେମାନଙ୍କର ଅନ୍ୟତମ ସହଯୋଗୀ ତଥା ଅପହରଣକାରୀ ଅଭିଯୁକ୍ତ ଲଭ୍‌ପ୍ରୀତ୍‌ ସିଂହ ତୁଫାନ୍‌ଙ୍କୁ ମୁକ୍ତ କରାଯିବ ବୋଲି ପୁଲିସଠାରୁ ପ୍ରତିଶ୍ରୁତି ପତ୍ର ଆଦାୟ କରି ନେଇଥିଲେ। ସେମାନଙ୍କ ସହିତ ସଂଘର୍ଷ କରି ୬ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

ଏହାପରେ ମାର୍ଚ ୧୮ ତାରିଖରୁ ପୁଲିସ ପଳାତକ ଅମୃତପାଲ୍ ସିଂହ ଓ ତାଙ୍କର ସଙ୍ଗଠନ ‘ୱାରିସ୍‌ ପଞ୍ଜାବ ଦେ’ର ସଦସ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲା। ମାସକ ମଧ୍ୟରେ ଦିଲ୍ଲୀରୁ ଆରମ୍ଭ କରି ହରିୟାଣା ପର୍ଯ୍ୟନ୍ତ ପୁଲିସ ଅମୃତପାଲ୍‌ ସିଂହଙ୍କୁ ଅନେକ ଥର ‘ସିସିଟିଭି’ କ୍ଲିପ୍‌ରେ ଦେଖିଥିଲା। କିନ୍ତୁ, ସବୁବେଳେ ଚେହେରା ଓ ସ୍ଥାନ ପରିବର୍ତ୍ତନ କରୁଥିବା ଅମୃତପାଲ୍‌ଙ୍କୁ ଧରିବା ପୁଲିସ ପକ୍ଷରେ ସହଜସାଧ୍ୟ ନ ଥିଲା।

ମାର୍ଚ ୨୯ରେ ରିଲିଜ୍‌ କରିଥିବା ଏକ ଭିଡିଓ ବାର୍ତ୍ତାରେ ଅମୃତପାଲ୍‌ ଘୋଷଣା କରିଥିଲେ ଯେ, ସେ ଖସି ପଳାଇଛନ୍ତି ଓ ନିରାପଦରେ ଅଛନ୍ତି।

ସରକାର ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ୍‌ ବୋଲି ବିବେଚନା କରୁଥିବା ଅମୃତପାଲ୍‌ ସିଂହ ଅଳ୍ପ କେତେ ବର୍ଷ ହେବ ପଞ୍ଜାବରେ ଖୁବ୍‌ ସକ୍ରିୟ ହୋଇଥିଲେ। ସବୁବେଳେ ତାଙ୍କ ପାଖେ ପାଖେ ସଶସ୍ତ୍ର ସମର୍ଥକମାନେ ରହୁଥିଲେ। ଆପଣାକୁ ଖଲିସ୍ତାନୀ ବିଛିନ୍ନତାବାଦୀ ତଥା ଆତଙ୍କବାଦୀ ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରନ୍‌ୱାଲେଙ୍କ ଅନୁଗାମୀ ବୋଲି କହୁଥିବା ଅମୃତପାଲ୍‌ ସମର୍ଥକମାନଙ୍କ ଗହଣରେ ‘ଭିନ୍ଦ୍ରନ୍‌ୱାଲେ ୨.୦’ ଭାବେ ଜଣାଶୁଣା।