ଦେଶରେ ଜାରି ହେବ ୧୦୦ ଟଙ୍କିଆ ମୁଦ୍ରା
ନୂଆଦିଲ୍ଲୀ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନକି ବାତ୍’ ଖୁବ୍ ଶୀଘ୍ର ପ୍ରସାରିତ ହେବ । ବେତାର କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବେ । ଆଗାମୀ ରବିବାର ଅର୍ଥାତ ଏପ୍ରିଲ ୩୦ ତାରିଖ ଦିନ ମୋଦିଙ୍କ ମନକି ବାତ୍ ର ୧୦୦ତମ ଅଧ୍ୟାୟ ପ୍ରସାରିତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ୧୦୦ ଟଙ୍କିଆ ମୁଦ୍ରା ଉପହାର ଦେବେ ।
ସୂଚନା ଅନୁସାରେ ସରକାରଙ୍କ ଦ୍ୱାରା ଜାରି ଅଧିସୂଚନାରେ କୁହାଯାଇଛି ଯେ ମନକି ବାତର ୧୦୦ତମ ଅଧ୍ୟାୟ ଅବସରରେ ଟଙ୍କଶାଳ ପକ୍ଷରୁ ୧୦୦ ଟଙ୍କିଆ ମୁଦ୍ରା ଜାରି ହେବ । କୁହାଯାଉଛି ଏହି ମୁଦ୍ରାର ଗୋଲେଇ ୪୪ ମିଲିମିଟରର ହେବ । ଯାହାକୁ ୪ଟି ଧାତୁ ରୂପା, ତମ୍ବା, ନିକେଲ ଓ ଦସ୍ତା ମିସାଇ ନିର୍ମିତ କରାଯିବ । ଏହି ମୁଦ୍ରାର ଅଗ୍ରଭାଗ ମଝିରେ ଅଶୋକ ସ୍ତମ୍ବର ସିଂହ ରହିବ । ଯାହା ତଳେ ସତ୍ୟମେବ ଜୟତେ ଲେଖା ରହିବ । ସେହିପରି ମୁଦ୍ରାର ଧାରରେ ହିନ୍ଦୀରେ ଭାରତ ଓ ଇଂରାଜୀରେ ଇଣ୍ଡିଆ ଲେଖା ରହିବ । ତଳେ ରୁପି ଚିହ୍ନ ଦେଇ ୧୦୦ ଟଙ୍କା ଖୋଦେଇ ହୋଇଥିବ । ଏହି ମୁଦ୍ରାରେ ମନକି ବାତ୍ ୧୦୦ ଲେଖା ରହିବ ।
ଉଲ୍ଲେଖ ଯୋଗ୍ୟ ଯେ ଭାରତୀୟ ମୁଦ୍ରା ଇତିହାସରେ ୧୦୦ ଟଙ୍କିଆ ମୁଦ୍ରା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏବି ମୂଲ୍ୟର ମୁଦ୍ରା ଜାରି ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଜାରି ହୋଇଥିଲା । ଏହା ଛଡା ରାଜମାତା ବିଜୟରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ଓ ଏଆଇଏଡିଏମକେର ଏମ.ଜି. ରାମଚନ୍ଦ୍ରଙ୍କ ଜନ୍ମ ଶତାବ୍ଦୀ ଅବସରରେ ୧୦୦ ଟଙ୍କା ମୁଦ୍ରା ଜାରି ହୋଇଥିଲା ।