ଗ୍ୟାଙ୍ଗଷ୍ଟର ଅତିକ କାର୍ଯ୍ୟାଳୟରେ ପଡିଛି ରକ୍ତ ଛିଟା ଓ ଛୁରୀ, ପୁଲିସ ଦେଖି ତାଜୁବ୍

ଲକ୍ଷ୍ମୌ : (ସଂକେତ୍ ଟିଭି) କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପ୍ରୟାଗରାଜର ଚକିଆସ୍ଥିତ କାର୍ଯ୍ୟାଳୟରେ ପୁଲିସ ସ୍ଥାନେସ୍ଥାନେ ରକ୍ତ ଛିଟା ଓ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଛି। ଅତିକ ଅହମଦ କାର୍ଯ୍ୟାଳରେ ପୁଲିସ ପହଞ୍ଚିବା ପରେ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି।

କାର୍ଯ୍ୟାଳୟର ଶିଢ଼ି ଓ କାନ୍ଥରେ ରକ୍ତଚିହ୍ନ ଥିବା ବେଳେ ସେଠାରେ ଏକ ଓଢ଼ଣୀ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିବା ପୁଲିସ ଦେଖିବାକୁ ପାଇଛି। କେବଳ ଏତିକି ନୁହେଁ ଘଟଣାସ୍ଥଳରେ କିଛି ଭଙ୍ଗାଚୁଡ଼ି ବି ପଡ଼ିଥିବା ପୁଲିସ ନଜରକୁ ଆସିଛି।

ଗ୍ୟାଙ୍ଗଷ୍ଟର କାର୍ଯ୍ୟାଳୟର ପାରିପାର୍ଶ୍ବିକସ୍ଥିତିକୁ ଦେଖିଲେ ଏଠାରେ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫରେନସିକ୍‌ ଟିମ୍‌ ବି ଯାଞ୍ଚ କରୁଛି। ଏହି ଯାଞ୍ଚ ରିପୋର୍ଟ ଆସିଲେ ଯାଇ ଘଟଣାର ବାସ୍ତବତା କ’ଣ ତାହା ଜଣାପଡ଼ିବ।

ସୂଚନାଯୋଗ୍ୟ, ଅତିକ ଅହମଦ ଜେଲ୍‌ରେ ଥିବା ବେଳେ ଏହି କାର୍ଯ୍ୟାଳୟରୁ ୭୫ ଲକ୍ଷ ଟଙ୍କା ଓ ୧୦ ବନ୍ଧୁକ ମିଳିଥିଲା । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାର ଅତିକର ଏହି କାର୍ଯ୍ୟାଳୟକୁ ଭାଙ୍ଗିଥିଲେ ବି ଅତିକ ତାହାକୁ ପୁଣି ନିର୍ମାଣ କରି ଦେଉଥିଲା।