ବିନା ସର୍ତ୍ତରେ କ୍ଷମା ମାଗିବାରୁ ଲଳିତ ମୋଦୀଙ୍କ ମାମଲା ବନ୍ଦ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ‘ଆଇପିଏଲ୍‌’ର ପୂର୍ବତନ କମିସନର୍‌ ଲଳିତ ମୋଦୀଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ଆଜି ସୁପ୍ରିମ୍‌ କୋର୍ଟ ତାଙ୍କ ନାଁରେ ଚାଲିଥିବା ମାମଲା ବନ୍ଦ କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ନ୍ୟାୟିକ ବ୍ୟବସ୍ଥା ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଏହି ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟ କହିଛନ୍ତି, ଭବିଷ୍ୟତରେ ଲଲିତ ମୋଦି ଏପରି କୌଣସି କାର୍ଯ୍ୟକଳାପ କରିବେ ନାହିଁ, ଯାହା ନ୍ୟାୟପାଳିକାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ।

ବିଚାରପତି ଏମ୍‌. ଆର୍‌. ଶାହ ଏବଂ ସି. ଟି. ରବିକୁମାର ଲଳିତ ମୋଦୀ ଫାଇଲ୍‌ କରିଥିବା ପିଟିସନ୍‌ ଉପରେ ଧ୍ୟାନ ଦେଇଥିଲେ। ପିଟିସନ୍‌ରେ ଉଲ୍ଲେଖ ଥିଲା ଯେ, ଅଦାଲତଙ୍କ ଗରିମା ଅଥବା ମର୍ଯ୍ୟାଦା କିଂବା ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଅବମାନନା ହେବା ଭଳି କୌଣସି ପ୍ରକାର କାର୍ଯ୍ୟ ଭବିଷ୍ୟତରେ କରିବି ନାହିଁ।

ଖଣ୍ଡପୀଠ କହିଲେ, ଆମେ ଏହି ନିଃସର୍ତ୍ତ କ୍ଷମାଯାଚନା ଗ୍ରହଣ କରୁଛୁ। ପ୍ରତିବାଦୀ ମୋଦୀଙ୍କୁ ଆମେ ସ୍ମରଣ କରାଇ‌ ଦେଉଛୁ ଯେ, ଭବିଷ୍ୟତରେ ଯଦି ତାଙ୍କ ପକ୍ଷରୁ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଓ ଅଦାଲତର ମର୍ଯ୍ୟାଦା ହାନି ହେବା ଭଳି କୌଣସି ଉଦ୍ୟମ କରନ୍ତି, ତେବେ ତାହାକୁ ଅତି ଗୁରୁତ୍ବର ସହ ଗ୍ରହଣ କରାଯିବ।

ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ଉଦାର ହୃଦୟରେ ଆମେ ନିଃସର୍ତ୍ତ କ୍ଷମା ଗ୍ରହଣ କରୁଛୁ। ବିଶେଷକରି, ଆନ୍ତରିକ ଭାବେ କରାଯାଇଥିବା କ୍ଷମାଯାଚନାକୁ ଅଦାଲତ ସବୁବେଳେ ବିଶ୍ବାସର ସହ ଗ୍ରହଣ କରନ୍ତି। କ୍ଷମାପ୍ରାର୍ଥନା ଗ୍ରହଣ କରି ଆମେ ଏହି ମାମଲା ବନ୍ଦ କରୁଛୁ।

ସୂଚନାଯୋଗ୍ୟ, ଏଭଳି ମନ୍ତବ୍ୟ ପାଇଁ ଏପ୍ରିଲ୍‌ ୧୩ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ମୋଦୀଙ୍କୁ ଭର୍ତ୍ସନା କରି ନିଃସର୍ତ୍ତ କ୍ଷମାଭିକ୍ଷା କରିବାକୁ କହିଥିଲେ।