ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନ ଶହୀଦ

ରାୟପୁର : (ସଂକେତ୍ ଟିଭି) ଛତିଶଗଡର ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ ୧୦ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଦାନ୍ତେଓ୍ବାଡା ଆରନପୁର ଥାନା ଅଞ୍ଚଳରେ ଯବାନଙ୍କୁ ନେଇ ଯାଉଥିବା ଗାଡିଟି ନକ୍ସଲଙ୍କ ଲ୍ୟାଣ୍ଡମାଇନର ଶିକାର ହୋଇଥିବା କୁହାଯାଉଛି । ଶହୀଦ ହୋଇଥିବା ଯବାନମାନେ ଜିଲ୍ଲା ରିଜର୍ଭ ଗାର୍ଡ DRGର ଯବାନ ଓ ସେମାନେ ଏକ କମ୍ବିଂ ଅପରେସନରେ ବାହାରି ଥିଲେ ।

ସୂଚନା ଅନୁସାରେ, ଜଙ୍ଗଲ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ଟି ବିସ୍ଫୋରଣରେ ଉଡିଯାଇଥିଲା । ଏଥିରେ କିଛି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୋକ ପ୍ରକାଶ କରିଛନ୍ତି । ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ମଧ୍ଯ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବଘେଲ । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ଫୋନରେ କଥା ହୋଇଛନ୍ତି । କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବା ନେଇ ଶାହ ବଘେଲଙ୍କୁ ପ୍ରତିଶୃତି ଦେଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଆକ୍ରମଣ ସୂଚନା ମିଳିବା ପରେ ଘଟଣାସ୍ଥଳରେ କେନ୍ଦ୍ରୀୟ ଫୋର୍ସ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି ।