ବିଶ୍ୱସ୍ତ କର୍ମଚାରୀଙ୍କୁ ୧୫୦୦ କୋଟିର ଘର ଉପହାର ଦେଲେ ଅମ୍ବାନୀ

ମୁମ୍ବାଇ : (ସଂକେତ୍ ଟିଭି) ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କର ଏହି ସଫଳତା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ତାଙ୍କର ବିଶ୍ୱସ୍ତ କର୍ମଚାରୀ । ମୁକେଶ ତାଙ୍କ ସମସ୍ତ କର୍ମଚାରୀଙ୍କ ସହ ଭଲ ବ୍ୟବହାର କରିବା ପାଇଁ ଜଣାଶୁଣା । ସେ ପୁଣି ଥରେ ଜଣେ ଭଲ ବସ୍‌ ହେବାର ପ୍ରମାଣ ଦେଇଛନ୍ତି । ସେ ମୁମ୍ବାଇରେ ତାଙ୍କ ଜଣେ କର୍ମଚାରୀ ମନୋଜ ମୋଦୀଙ୍କୁ ୧୫୦୦ କୋଟି ଟଙ୍କାର ଏକ ଘର ଉପହାର ଦେଇଛନ୍ତି ।

ମନୋଜ ଏବେ ରିଲାଏନ୍ସ ଜିଓ ଓ ରିଲାଏନ୍ସ ରିଟେଲର ନିର୍ଦ୍ଦେଶକ ଅଛନ୍ତି । ତାଙ୍କୁ ମୁକେଶ ଅମ୍ବାନୀଙ୍କ ଡାହାଣ ହାତ ବୋଲି କୁହାଯାଏ । ମୁକେଶ ଅମ୍ବାନୀଙ୍କ ନିକଟରେ ରହୁଥିବା ମନୋଜ ମୋଦୀ ହେଉଛନ୍ତି ଅନ୍ୟତମ ବିଶ୍ୱସ୍ତ କର୍ମଚାରୀ ସେ ମୁକେଶ ଅମ୍ବାନିଙ୍କ ସହ ଗୋଟିଏ ଶ୍ରେଣୀରେ ପଢୁଥିଲେ । ଉଭୟ ମୁମ୍ବାଇ ବିଶ୍ୱବିଦ୍ୟାଳୟର କେମିକାଲ ଟେକନଲୋଜି ବିଭାଗରେ ପଢୁଥିଲେ । ଅଶୀ ଦଶକରୁ ହିଁ ମନୋଜ ରିଲାଏନ୍ସ ଗ୍ରୁପରେ କାମ କରୁଛନ୍ତି । ଅମ୍ବାନି ପରିବାରର ତିନି ପିଢି- ଧୀରୁଭାଇ ଅମ୍ବାନି, ମୁକେଶ ଅମ୍ବାନି ଓ ଇଶା-ଆକାଶ ଅମ୍ବାନିଙ୍କ ସହ ସେ କାମ କରିଛନ୍ତି । ମୁକେଶ ଅମ୍ବାନୀ ମନୋଜ ମୋଦୀଙ୍କୁ ଦେଇଥିବା ଘର ଏକ ୨୨ ମହଲା କୋଠାର ଘର ଯାହା କି ୧.୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ । ମୁମ୍ବାଇର ନେପିଆନ୍‌ ସି ରୋଡ୍‌ ରେ ଏହି ଘର ନିର୍ମାଣ କରାଯାଇଛି । ଏହି ଘରର ମୂଲ୍ୟ ପାଖାପାଖି ୧୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।