୩୦ ହଜାର ଟଙ୍କା ନେବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
କଟକ : (ସଂକେତ୍ ଟିଭି) କଟକ ଜିଲ୍ଲା ବଡମ୍ବା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବାଉରୀ ବନ୍ଧୁ ପରିଡା ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ସେ ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଜଣାଯାଇଛି। ଭିଜିଲାନ୍ସର ୧୦ ଜଣିଆ ଟିମ୍ ଚଢାଉ କରି ଗିରଫ କରିଛନ୍ତି ।
ସୂଚନା ଅନୁସାରେ, ଦୀର୍ଘ ସମୟ ଧରି ବିଲ୍ ପାସ୍ କରିବା ପାଇଁ ଅଭିଯୋଗକାରୀ ଠିକାଦାର କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ନିବେଦନ କରୁଥିଲେ। ହେଲେ ସେଠାରେ କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଲେ ବିଲ୍ ପାସ୍ କରାଯିବ ବୋଲି କହିଥିଲେ। ଏହାପରେ ଅଭିଯୋଗକାରୀ ଠିକାଦାର କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଅର୍ଥ ଜବତ ହୋଇଛି।
ଏହାଛଡ଼ା ବାଉରୀବନ୍ଧୁ ପରିଡ଼ାଙ୍କ କଟକ ବାଲିକୁଦା ଘରୁ ଭିଜିଲାନ୍ସ ନଗଦ ୩ ଲକ୍ଷ ଟଙ୍କା, ଏକ କିଆ କାର୍(ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା), ନିକଟରେ କିଣିଥିବା ଏକ ପ୍ଲଟ (ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା)ର କାଗଜପତ୍ର ମଧ୍ୟ ଜବତ କରାଯାଇଛି।