ବନ୍ଧା ହେଲେ ୪୦ ଲକ୍ଷ ୨ଜଣ ଭୂତଙ୍କ ସଭାପତି ବିପିନ

ଭୂବନେଶ୍ବର : (ସଂକେତ୍ ଟିଭି) ଖୋର୍ଦ୍ଧା ସଦର ଥାନା ପୁଲିସ ୪୦ ଲକ୍ଷ ୨ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲେ ସ୍ଥାନୀୟ ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ (୫୨) ।

ସୂଚନା ଅନୁସାରେ, ବଗଳା ମୁଖୀ ସାଧନା କରୁଥିବା ସାଧକ କହିବା ସହିତ ନିଜକୁ ଭୂତମାନଙ୍କ ସଭାପତି କହୁଥିବା ବିପିନ ସୋସିଆଲ ମିଡିଆରେ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ । ୪୦ଲକ୍ଷ ଭୂତ ତାଙ୍କ କଥାରେ ଉଠ୍ ବସ ହେଉଥିବା ବାହାସ୍ଫୋଟ ମାରୁଥିଲେ । ତନ୍ତ୍ରପାଠ କରି ରାଜଧାନୀକୁ ୪୫ମିନିଟ୍ ଅନ୍ଧାର କରିଦେଇଥିବା ଦାବି କରିଥିଲେ । ଏଥିସହ ଜଣେ ପ୍ରତିଷ୍ଠ ରାଜନେତାଙ୍କ ଭୂତ ସହ ସେ ବାର୍ତାଳାପ କରିଥିବା ମଧ୍ୟ ଦାବି କରିଥିଲେ ।

କେବଳ ଏତିକି ନୁହେଁ ମଶାଣୀରେ ଭୂତଙ୍କ ବୈଠକ ବସିବା ବେଳେ ତାଙ୍କୁ ଖୋଜା ପଡୁଥିଲା ଓ ସେ ଉକ୍ତ ବୈଠକରେ ଯୋଗଦେଇ ଭୂତମାନଙ୍କ ସମସ୍ୟା ସମାଧାନ କରୁଥିଲେ ବୋଲି ନିର୍ଭିକତାର ସହ କହି ବୁଲୁଥିଲେ । ପୁରୁଣା ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିଲେ ଆତ୍ମଘୋଷିତ ଭୂତଙ୍କ ସଭାପତି ବିପିନ ରାଉତରାୟ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରସ୍ଥିତ ବାସଭବନରୁ ପୁଲିସ ତାଙ୍କୁ ଗିରଫ କରିଛି । ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଛି ପୁଲିସ ।

ବିପିନଙ୍କ ନାମରେ ଜିଆର ୫୧/୨୦୧୩, ଜିଆର ୬୦୯/୨୦୧୬ ଭଳି ୩ଟି ୱାରେଂଟ ରହିଥିଲା । ବିପିନ ପୁଲିସକୁ ଚକମା ଦେବାରେ ମାହିର ହୋଇଥିବାବେଳେ ତାଙ୍କୁ ଗିରଫ କରିବାର ସଦର ପୁଲିସକୁ ସଫଳତା ମିଳିଛି । ବିପିନ ନନ୍ଦପୁର ଆସିଥିବାବେଳେ ପୁଲିସ ତାଙ୍କୁ ସେଠାରୁ ଗିରଫ କରିଥିବା ଥାନା ଅଧିକାରୀ ବିଦିତା ନାୟକ ସୂଚନା ଦେଇଛନ୍ତି ।