ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ଦୋଷମୁକ୍ତ ହେଲେ ଅଭିନେତା ସୂରଜ ପାଞ୍ଚୋଲି
ମୁମ୍ବାଇ (ସଂକେତ୍ ଟିଭି) ଅଭିନେତ୍ରୀ ଜିଆ ଖାନ୍ଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି।
ଏହି ମାମଲର ବିଚାର କରି ମୁମ୍ବାଇସ୍ଥିତ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତର ବିଚାରପତି ଏ. ଏସ୍. ସୟଦ୍ ଯଥେଷ୍ଟ ପ୍ରମାଣ ଅଭାବରୁ ସୂରଜଙ୍କୁ ଦୋଷମୁକ୍ତ କରିଛନ୍ତି।
ସୂଚନା ଅନୁସାରେ, ୨୦୧୩ରେ ମୁମ୍ବାଇସ୍ଥିତ ବାସଭବନରେ ୨୫ ବର୍ଷୀୟ ଜିଆ ଖାନ୍ଙ୍କୁ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବୟଫ୍ରେଣ୍ଡ୍ ସୂରଜ ପାଞ୍ଚୋଲି ଏବଂ ଜିଆଙ୍କ ମଧ୍ୟରେ ଥିବା ସମ୍ପର୍କରେ ସ୍ଥିରତା ନ ଥିଲା ବୋଲି ଜିଆ ଲେଖିଥିବା ଗୋଟାଏ ଚିଠିରୁ ଜଣାପଡ଼ିଥିଲା। ତେଣୁ ଜିଆଙ୍କ ଆତ୍ମହତ୍ୟାର କାରଣ ବୋଲି ବିଚାରି ସୂରଜଙ୍କୁ ଗିରଫ କରାଯାଇଥିଲା।
ସିବିଆଇ’ କହିଥିଲା ଯେ, ଚିଠିରୁ ସେମାନଙ୍କର ନିବିଡ଼ ସମ୍ପର୍କ, ସୂରଜ ଦେଉଥିବା ଶାରୀରିକ ଉତ୍ପୀଡ଼ନ ଏବଂ ନିର୍ଯାତନା ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ସେଥିପାଇଁ ହିଁ ଜିଆ ଆତ୍ମହତ୍ୟା କଲେ। କିନ୍ତୁ, ୨୦୧୩ ଜୁନ୍ରେ ଗିରଫ ହୋଇଥିବା ସୂରଜଙ୍କୁ ୨୦୧୩ ଜୁଲାଇରେ ଜାମିନ ମଞ୍ଜୁର କରାଯାଇଥିଲା।