ଅତିକ ଅହମ୍ମଦ ହତ୍ୟା ମାମଲାରେ ୟୁପି ସରକାରଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ୍ ଟିଭି) ସୁପ୍ରିମକୋର୍ଟ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। କେବଳ ଏତିକି ନୁହେଁ ଯେତେବେଳେ ଅତିକ ଓ ଅସ୍ରଫଙ୍କ ମେଡିକାଲ କରାଯାଉଥିଲା ହସ୍ପିଟାଲ ଗେଟ୍ ଭିତରେ ଆମ୍ବୁଲାନ୍ସ କାହିଁକି ନଥିଲା ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ଅତିକ-ଅଶରଫ ହତ୍ୟାକାଣ୍ଡ ଯାଞ୍ଚର ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଏହା ଛଡା କୋର୍ଟ ଅସଦ ଏନକାଉଣ୍ଟର ମାମଲାରେ ମଧ୍ୟ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟ ଅତିକ ଓ ଅଶରଫ ହତ୍ୟା ମାମଲାରେ ବିଚାରବିଭାଗୀୟ ଯାଞ୍ଚ ଦାବିକୁ ନେଇ ରୁଜୁ ପିଟିସନ ଉପରେ ଶୁଣାଣି କରିଛନ୍ତି। ଏହି ପିଟିସନ ଓକିଲ ବିଶାଳ ତିୱାରୀ ଦାଖଲ କରିଥିଲେ। ସେ ଅତିକ ଓ ଅଶରଫଙ୍କ ପୋଲିସ ହେପାଜତରେ ହତ୍ୟାର ଯାଞ୍ଚ ସୁପ୍ରିମକୋର୍ଟଙ୍କ ରିଟାୟାର୍ଡ ଜଜ୍‌ଙ୍କ ଦେଖରେଖରେ କରିବାକୁ ଦାବି କରିଛନ୍ତି। ଏହି ଜନସ୍ୱାର୍ଥ ମାମଲାରେ ଉତ୍ତରପ୍ରଦେଶରେ ୨୦୧୭ରୁ ଏପର୍ଯ୍ୟନ୍ତ ହୋଇଥିବା ୨୮୩ଟି ପୋଲିସ ଏନକାଉଣ୍ଟର ଯାଞ୍ଚ ମଧ୍ୟ ଏକ୍ସପର୍ଟ କମିଟି ଦ୍ୱାରା କରିବା ପାଇଁ ଦାବି କରାଯାଇଛି। ପିଟିସନରେ ଅସଦ ଏନକାଉଣ୍ଟର ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି।

୧୫ ଏପ୍ରିଲ ରାତି ପାଖାପାଖି ସାଢେ ୧୦ଟା ବେଳେ ଅତିକ ଅହମ୍ମଦ ଓ ତା ଭାଇ ଅଶରଫକୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇଦୁଇଟି ହତ୍ୟାକାଣ୍ଡକୁ ଅରୁଣ ମୌର୍ଯ୍ୟ, ସନି ସିଂହ ଓ ଲଭଲେସ୍ ତିୱାରୀ ନାମକ ୩ ଯୁବକ ସଫଳ କରିଥିଲେ। ୩ ଜଣ ସାମ୍ବାଦିକ ବେଶରେ ପୋଲିସ ନିକଟକୁ ପହଞ୍ଚିଥିଲେ ଓ ଅତିକ ଏବଂ ଅଶରଫ ଗଣମାଧ୍ୟମ ସହ ଆଲୋଚନା ଆରମ୍ଭ କରିବାମାତ୍ରେ ଗୁଳି ଚଳାଇଥିଲେ। ଏଥିରେ ସେମାନେ ମୋଟ ୧୮ ରାଉଣ୍ଡ ଗୁଳି କରିଥିଲେ। ଏଥିରୁ ୮ଟି ଅତିକ ଦେହରେ ଲାଗିଥିବା ବେଳେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

ଅତିକ ବିରୋଧରେ ପ୍ରାୟ ୧୦୦ରୁ ଅଧିକ ମୋକଦ୍ଦମା ଥିଲା। ତେବେ ଶେଷ ଥର ତା ନାମ ଉମେଶ ପାଲ ହତ୍ୟାକାଣ୍ଡରେ ଉଠିଥିଲା। ଫେବୃଆରୀ ୨୪ ତାରିଖ ଦିନ ଉମେଶ ପାଲକୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଥିଲା। ଉମେଶ ପାଲଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅତିକ, ଭାଇ ଅଶରଫ, ପତ୍ନୀ ସାଇସ୍ତା,ପୁଅ ଅସଦ, ସୁଟର ଅରମାନ, ଗୁଲାମ, ଗୁଡ୍ଡୁ ମୁସ୍ଲିମ ଓ ସବିର ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।