କେଜ୍ରିୱାଲ୍ଙ୍କ ସରକାରୀ ଆବାସ ନବୀକରଣରେ ଦୁର୍ନିତି ଅଭିଯୋଗ, ତଦନ୍ତ ନିର୍ଦେଶ ଦେଲେ ଏଲଜି
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ସରକାରୀ ଆବାସ ନବୀକରଣରେ କଥିତ ରୂପେ ୪୫ କୋଟି ଟଙ୍କା ଖର୍ଚ୍ଚକୁ ନେଇ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆଜି ଘଟଣାର ତଦନ୍ତ ଆଦେଶ ଦେବା ସହିତ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି।
ସୂଚନା ଅନୁସାରେ, ଦିଲ୍ଲୀର ସିଭିଲ୍ ଲାଇନ୍ସ୍ସ୍ଥିତ ୬, ଫ୍ଲାଗ୍ପାଷ୍ଟ୍ ରୋଡ୍ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ମରାମତିରେ ମୋଟ ୪୪.୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେପ୍ଟେମ୍ବର ୨୦୨୦ରୁ ଜୁନ ୨୦୨୨ ମଧ୍ୟରେ ମୋଟ ୬ କିସ୍ତିରେ ଏହି ରାଶି ଖର୍ଚ୍ଚ କରାଯାଇଛି। ଯେଉଁଥିରେ ଇଣ୍ଟେରିୟର ଡିଜାଇନିଂ ପାଇଁ ୧୧.୩୦ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ୬.୨ କୋଟି ଟଙ୍କାର ପଥର ଓ ମାର୍ବଲ ମେଜିଆ, ୧ କୋଟି ଟଙ୍କାର କନସଲଟାନ୍ସି, ୨.୫୮ କୋଟି ଟଙ୍କାର ବିଜୁଳି ସମ୍ପର୍କିତ ଫିଟିଙ୍ଗସ୍ ଓ ଉପକରଣ, ୨.୮୫ କୋଟି ଟଙ୍କାର ଅଗ୍ନିସମନ ପ୍ରଣାଳୀ, ୧.୪୧ କୋଟି ଟଙ୍କାର ଆଲମାରି ଓ ରୋଷେଇ ଘର ଉପକରଣ ବାବଦକୁ ୧.୧ କୋଟି ଟଙ୍କା ବ୍ୟୟ ହୋଇଛି।
ଏ ଘଟଣାରେ ଦିଲ୍ଲୀ ସରକାରଙ୍କ ରେକର୍ଡ ଯାଞ୍ଚ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ଉପରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ରେକର୍ଡର ଯାଞ୍ଚ ପରେଏଲଜିଙ୍କ ଅବଗତି ନିମନ୍ତେ ୧୫ ଦିନ ମଧ୍ୟରେ ଏକ ତଥ୍ୟାତ୍ମକ ରିପୋର୍ଟ ପ୍ରସ୍ତୁତ କରିବାକୁ ଏପ୍ରିଲ ୨୭ ତାରିଖ ଦିନ ଏଲଜିଙ୍କ କାର୍ଯ୍ୟାଳୟ ଦ୍ୱାରା ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି। ଏହି ଖର୍ଚ୍ଚରେ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେବ। ତେବେ ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।