ବାଇଜୁର ସିଇଓଙ୍କ ଘର ଓ କାର୍ଯ୍ୟାଳୟରେ ଇଡିର ଚଢାଉ
ନୂଆଦିଲ୍ଲୀ (ସଂକେତ୍ ଟିଭି) ବେଙ୍ଗାଲୁରୁଠାରେ ଥିବା ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ବାଇଜୁର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ କାର୍ଯ୍ୟାଳୟ ଏବଂ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚଢଉ କରିଛି । ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଙ୍ଘନ ଅଭିଯୋଗ ଆସିବା ପରେ ଏହି ଚଢଉ କରାଯାଇଥିଲା । ବେଙ୍ଗାଲୁରୁ ସହରରେ ମୋଟ ୨ଟି ଅଫିସ ଓ ଗୋଟିଏ ଘର ଉପରେ ଏହି ଚଢଉ କରାଯାଇଥିଲା । ଏହି ଚଢାଉ ସମୟରେ କେତେକ ଆପତ୍ତିଜନକ ଦସ୍ତାବିଜ ଓ ତଥ୍ୟ ଜବତ କରାଯାଇଥିବା କୁହାଯାଇଛି ।
ଇଡି କହିଛି ଯେ ବାଇଜୁଙ୍କୁ ଏକାଧିକ ସମନ ପଠାଯାଇଥିଲା, କିନ୍ତୁ ସେ ସମନକୁ ଏଡ଼ାଇ ଯାଇଥିଲେ ଏବଂ ଇଡି ନିକଟରେ ହାଜର ହୋଇନଥିଲେ । ଚଢ଼ାଉ ସମୟରେ ଜଣାପଡିଥିଲା ଯେ ରବୀନ୍ଦ୍ରନ ବାଇଜୁଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ବାବଦରେ ପ୍ରାୟ ୨୮,୦୦୦ କୋଟି ଟଙ୍କା ପାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଭିନ୍ନ ବିଦେଶୀ ସଂସ୍ଥାଙ୍କୁ ପ୍ରାୟ ୯,୭୫୪ କୋଟି ଟଙ୍କା ପଠାଇଛି।
ସେପଟେ ଇଡିର ଏହି ଚଢ଼ାଉ କୁ ନେଇ ବାଇଜୁ ଏକ ବୟାନ ଜାରି କରିଛି । କମ୍ପାନିର କାରବାର ସଂପୂର୍ଣ୍ଣ ସ୍ବଚ୍ଛ ରହିଛି ଓ ତଦନ୍ତକାରୀ ଅଧିକାରୀମାନଙ୍କ ସହ ସଂପୂର୍ଣ୍ଣ ସହଯୋଗ କରାଯାଉଛି ।