ଟ୍ରକକୁ ଧକ୍କା ଦେଇ ଓଲଟିଲା କୁକୁଡ଼ା ଟ୍ରକ୍, ୫ ଗୁରୁତର

ଭଦ୍ରକ (ସଂକେତ୍ ଟିଭି) କୁକୁଡ଼ା ନେବାକୁ ଆସିଥିବା ଟ୍ରକ୍ ଅନ୍ୟ ଏକ ଟ୍ରକକୁ ଧକ୍କା ଦେବାରୁ ୫ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିସଳପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କଲିକତା ଅଞ୍ଚଳରୁ ଏକ ଟ୍ରକ୍ କୁକୁଡ଼ା ନେବା ପାଇଁ ଆସିଥିବା ବେଳେ ତ୍ରିସଳପୁର ଛକ ନିକଟରେ ଅନ୍ୟ ଏକ ଟ୍ରକ୍କୁ ଧକ୍କା ଦେଇ ଓଲଟି ପଡିଥିଲା। ଗାଡିରେ ଥିବା ସମୁଦାୟ ୬ ଜଣଙ୍କ ମଧ୍ଯରୁ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର କଲିକତା ଅଞ୍ଚଳର ବୋଲି ଜଣା ପଡ଼ିଛି। ତେବେ ଡ୍ରାଇଭରଙ୍କର ଆଖି ଲାଗି ଯିବାରୁ ଟ୍ରକ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଁଚିଛି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।