ବାହୁବଳୀ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ (ସଂକେତ୍ ଟିଭି) ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ବାହୁବଳୀ ମୁଖତାର ଅନସାରୀ ଓ ତାର ସାଂସଦ ଭାଇ ଅଫଜଲ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଗାଜିପୁରରେ ଏମପି ଏମଏଲଏ କୋର୍ଟ ଏହି ମାମଲାରେ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଟଙ୍କା ଜରିମାନା ଓ ତାର ସାଂସଦ ଭାଇ ଅଫଜଲ ଅନସାରୀଙ୍କୁ ଚାରି ବର୍ଷ ଜେଲ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁସାରେ, ବହୁଚର୍ଚ୍ଚିତ ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମୁଖତାର ଅନସାରୀକୁ ଆଜି ଶନିବାର ଗାଜିପୁରରେ ଏମପି ଏମଏଲଏ କୋର୍ଟରେ ଭର୍ଚ୍ଚୁଆଲି ହାଜର କରାଯାଇଥିଲା ।
ଉତ୍ତର ପ୍ରଦେଶରେ ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲା ପରେ ମୁଖତାର ଓ ଅଫଜାଲ ଉପରେ ଗ୍ୟାଙ୍ଗଷ୍ଟର ଆଇନ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ୨୦୦୭ ମସିହାରେ ଗ୍ୟାଙ୍ଗଷ୍ଟର ଆଇନ ବଳରେ ମୁଖତାର, ଅଫଜାଲ, ଭିଣୋଇ ଏଜାଜୁଲ ହକ୍ ଉପରେ ମାମଲା ରୁଜୁ ହୋଇଥିଲା । ଏଜାଜୁଲ ହକର ଦେହାନ୍ତ ହୋଇସାରିଛି । ଏହି ମାମଲାରେ ଏପ୍ରିଲ ୧ ତାରିଖରେ ଶୁଣାଣି ଶେଷ ହୋଇଥିଲା । ଦଣ୍ଡବିଧାନ ଏପ୍ରିଲ ୧୫ ତାରିଖରେ ହେବାକୁ ଥିଲା । ମାତ୍ର କୋର୍ଟ ଦଣ୍ଡାଦେଶ ତାରିଖକୁ ୨୯ ଏପ୍ରିଲକୁ ବୃଦ୍ଧି କରିଥିଲେ ।