କଂଗ୍ରେସ ମତେ ୯୧ ଥର ଗାଳି ଦେଲାଣି ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବେଙ୍ଗାଲୁରୁ (ସଂକେତ୍ ଟିଭି) କଂଗ୍ରେସ ମତେ ୯୧ ଥର ଗାଳି ଦେଲାଣି… କଂଗ୍ରେସ ସେମିତି ଗାଳି ଦେଉଥାଉ, ମୁଁ କିନ୍ତୁ, କର୍ଣ୍ଣାଟକବାସୀଙ୍କ ପାଇଁ କାମ କରିଚାଲିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। କର୍ଣ୍ଣାଟକର ବୀଦର ଜିଲ୍ଲା ଅନ୍ତର୍ଗତ ହୁମାନାବାଦ୍ରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି।
କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ତାଙ୍କୁ ବିଷଧର ସର୍ପ କହିଥିବା ପ୍ରସଙ୍ଗକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, କଂଗ୍ରେସ ପୁଣି ମତେ ଅପମାନଜନକ ଗାଳି ଦେବା ଆରମ୍ଭ କରିଛି। କେହି ଜଣେ ସେମାନେ ମୋତେ ଦେଇଥିବା ନାଁଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ମତେ ଯେତେ ଥର ଗାଳି ଦେଇଛି, ସେତେ ଥର ନଷ୍ଟ ହୋଇ ଚାଲିଛି।
ସେ କହିଛନ୍ତି ଏ ନିର୍ବାଚନ ବିଜୟ ହାସଲ ପାଇଁ ନୁହେଁ, ଏ ନିର୍ବାଚନ ହେଉଛି କର୍ଣ୍ଣାଟକକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ। ସବୁ କ୍ଷେତ୍ରରେ ଉନ୍ନତି ହେଲେ ଯାଇ ରାଜ୍ୟ ଉନ୍ନତ ହେବ। ଏହି ନିର୍ବାଚନ ରାଜ୍ୟର ଭୂମିକା ନିର୍ଣ୍ଣୟ କରିବ। ଏହାକୁ ୧ ନମ୍ବର ରାଜ୍ୟ କରିବା ପାଇଁ ‘ଡବଲ୍ ଇଞ୍ଜିନ୍’ ସରକାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।