କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍, ୧୧ ମୃତ, ୧୧ ଗୁରୁତର
ଚଣ୍ଡିଗଡ (ସଂକେତ୍ ଟିଭି) ପଞ୍ଜାବର ଲୁଧିଆନା ଗିଆସପୁରା ଅଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧ ଜଣ ଗୁରୁତର ଅଛନ୍ତି । ଖବର ପାଇ ପୋଲିସ ଟିମ୍ ସେଠାରେ ପହଞ୍ଚି ପ୍ରଭାବିତ ଅଞ୍ଚଳକୁ ସିଲ୍ କରିଛି । ଅଗ୍ନିଶମ ବାହିନୀ ଏନଡିଆରଏଫ ଏବଂ ଡାକ୍ତରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଅସୁସ୍ଥମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । ତେବେ କେଉଁ କାରଣରୁ ଗ୍ୟାସ୍ ଲିକ୍ ଯୋଗୁଁ ଏହି ମୃତାହତ ହୋଇଛି ତାହା ସ୍ପଷ୍ଟ ହୋଇନି ।
ଗୋୟଲ ମିଲ୍କ ପ୍ଲାଣ୍ଟ ନାମକ କ୍ଷୀର ଫ୍ୟାକ୍ଟ୍ରିରୁ ଆଜି ସକାଳେ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହାର ସଂସ୍ପର୍ଶରେ ଆସିବା ଯୋଗୁଁ ଫ୍ୟାକ୍ଟ୍ରିରେ କାମ କରୁଥିବା ୧୨ରୁ ଅଧିକ କର୍ମଚାରୀ ଅଚେତ୍ ହୋଇ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ୫ ମହିଳା ଅଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ସମୟରେ କେତେକ ପୋଲିସ କର୍ମଚାରୀ ମଧ୍ୟ ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁଁ ଅଚେତ୍ ହୋଇଯାଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଏହି ଗ୍ୟାସ୍ ଲିକ୍ ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୋଲିସ ପ୍ରଶାସନ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ପ୍ରଭାବିତମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ । ଏହାସହିତ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।