ଦନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣାରେ ଚିଠି ଜାରି କଲା ମାଓ ସଂଗଠନ
ରାୟପୁର (ସଂକେତ୍ ଟିଭି) ସାଉଥ୍ ସବ୍ ଜୋନାଲ ବ୍ୟୁରୋ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାଓବାଦୀ ଛତିଶଗଡ ଦନ୍ତେୱାଡା ଆଇଡି ବିସ୍ଫୋରଣ ଘଟଣାରେ ଏକ ଚିଠି ଜାରି କରିଛି । ସଂଗଠନର ମୁଖପାତ୍ରଙ୍କ ପକ୍ଷରୁ ଏହି ଚିଠିରେ ଉଲ୍ଲେଖ ରହିଛି ପ୍ରତି ଦୁଇ ତିନି କିଲୋମିଟର ଦୂରରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା କରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି । ଜନସାଧାରଣଙ୍କ ଉପରେ ପୋଲିସର ଆକ୍ରମଣ ନିତିଦିନିଆ ହୋଇଛି । ମାଓବାଦୀଙ୍କ ଉପରେ ବାରମ୍ବାର ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି । ବସ୍ତର ପୋଲିସ କେନ୍ଦ୍ରୀୟ ବାହିନୀ ସହ ମିଶି ମାଓବାଦୀ ନାଁରେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଛି ।
ଆହୁରି ମଧ୍ୟରେ ଚିଠିରେ କୁହାଯାଇଛି ଗତ ଜାନୁୟାରୀ ୧୧ରେ ପୋଲିସ ଆକ୍ରମଣରେ କିଛି ମାଓବାଦୀ ପ୍ରାଣ ହରାଇଥିଲେ । ପୋଲିସର ଏହି ନିଷ୍ଠୁର ଆକ୍ରମଣକୁ ପ୍ରତିବାଦ କରି ଆଇଡି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣ ଘଟଣାରେ ସେହି ଅଞ୍ଚଳର କିଛି ନିରୀହ ଯୁବକଙ୍କୁ ପୋଲିସ ଘରୁ ଉଠାଇ ନେଇ ଅଯଥା ନିର୍ଯାତନା ଦେଉଥିବା ମାଓ ସଂଗଠନ ଚିଠିରେ କହିଛି । ଏହାସହିତ ରାଜ୍ୟରେ ଅନେକ ବିଭାଗରେ ବହୁ ପଦପଦବୀ ଖାଲି ପଡିଥିବା ବେଳେ ସେଥିରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । କିନ୍ତୁ କର୍ପୋରେଟର ସଂସ୍ଥାମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଉଲ୍ଲେଖଯୋଗ୍ୟ ଗତ ବୁଧବାର ଦିନ ଦନ୍ତେୱାଡା ଅରନପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । ଏହି ସକାଳେ ଦନ୍ତେୱାଡା ପୋଲିସର ଡିଆରଜିଏ ଯବାନମାନେ ଆରାନପୁର ନିକଟ ଜଙ୍ଗଲରେ କୁମ୍ବିଂ ଅପେରସନ କରିଥିଲେ । ଅପରେସନ ସାରି ଫେରୁଥିବା ବେଳେ ବାଟରେ ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ୨୦ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।