ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ଟି ମୋବାଇଲ୍ ଆପକୁ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ଟି ମେସେଞ୍ଜର ମୋବାଇଲ୍ ଆପକୁ ସରକାର ବ୍ଲକ୍ କରିଛନ୍ତି। ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ କ୍ରିପୱାଇଜର, ଏନିଗମା, ସେଫ୍ ସ୍ବିସ୍, ଓ୍ବିକ୍ରମେ, ମିଡିଆଫାୟାର, ବ୍ରାୟାର, ବିଚାଟ୍, ନ୍ୟାଣ୍ଡବକ୍ସ, କନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି, ଥ୍ରିମା ଆଦି ମେସେଞ୍ଜର ଆପ୍ ରହିଛି। ସୁରକ୍ଷା ବାହିନୀ, ଗୁପ୍ତଚର ଓ ଅନୁସନ୍ଧାନକାରୀ ଏଜେନ୍ସିର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, କାଶ୍ମୀର ଉପତ୍ୟକାରେ ସେମାନଙ୍କ ସମର୍ଥକ ତଥା ଅନ୍-ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲୁଏସ୍) ଙ୍କ ସହ ଯୋଗାଯୋଗ କରିବାକୁ ଆତଙ୍କବାଦୀମାନେ ଏହି ସବୁ ଆପ୍ ବ୍ୟବହାର କରୁଛନ୍ତି ବୋଲି ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଥିଲେ । ଭାରତରେ ଏହି ଆପଗୁଡିକର କେହି ପ୍ରତିନିଧି ନଥିଲେ । ଏହି ଆପଗୁଡିକ ମଧ୍ୟରୁ ଅଧିକାଂଶ ଆପ୍ ୟୁଜରଙ୍କ ପରିଚୟ ଗୋପନ ରଖୁଥିଲେ । ତେଣୁ ଏଜେନ୍ସିଗୁଡିକ ପକ୍ଷେ ଏହି ଆପ୍ ବ୍ୟବହାର କରୁଥିବା ଲୋକଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡିଥିଲା। ଏହି ମୋବାଇଲ୍ ଆପ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କ ପାଇଁ ଯୋଗାଯୋଗର ଏକ ବଡ଼ ତଥା ସୁରକ୍ଷିତ ମାଧ୍ୟମ ପାଲଟିଥିଲା ବୋଲି ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା ।