ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ହେଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡା (ସଂକେତ୍ ଟିଭି) ଆଜିଠୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ଯଟକଙ୍କ ପାଇଁ ବନ୍ଦ କରାଯାଇଛି। ଆଜିଠାରୁ ଜୁଲାଇ ୩ ୧ ତାରିଖ ଯାଏଁ ତିନିମାସ ପର୍ଯ୍ଯନ୍ତ କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ବନ୍ଦ ରହିବ ।

ସୂଚନା ଅନୁସାରେ, ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନକୁ ପ୍ରବେଶ କରିପାରିବେ ନାହିଁ । ଏହି ୩ ମାସ ଭିତରକନିକା ଭିତରେ ବୋଟ୍‌ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ବୋଲି ଆଶଙ୍କା କରାଯାଏ ।

କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି । ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି ମା କୁମ୍ଭୀର। ଅଣ୍ଡାଦାନ ପରେ ମା କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଅଧିକ ଥାଏ। ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ କୁମ୍ଭୀର ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ ରହିଥାଏ।

ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀମାନେ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଚଳିତବର୍ଷ ଜାନୁଆରୀ ୪ରୁ ୧୪ ତାରିଖ ୧୧ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ଭିତରକନିକା ମଧ୍ୟକୁ ପର୍ଯ୍ୟଟକଙ୍କୁ ବାରଣ ରହିଥିଲା।