ହେଡ୍ ଫୋନ ସାଜିଳା କାଳ, ଶାଲିମାର ସୁପରଫାଷ୍ଟ ଟ୍ରେନ ଧକ୍କାରେ ଯୁବକ ମୃତ

ବାରିପଦା (ସଂକେତ୍ ଟିଭି) କଲିକତାରୁ ବାରିପଦା ଆସୁଥିବା ଶାଲିମାର ସୁପରଫାଷ୍ଟ ଟ୍ରେନ ଧକ୍କାରେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ଘଟିଛି । ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଟୁଙ୍ଗାଧୁଆ ଗ୍ରାମର ବୁଧୁରାମ ମହାନ୍ତଙ୍କ ୩୫ ବର୍ଷୀୟ ପୁଅ ନିରଞ୍ଜନ ନିଜ ମୋଟର ସାଇକେଲରେ ରେଳ ଧାରଣା ପାର ହେବା ସମୟରେ କଲିକତାରୁ ବାରିପଦା ଆସୁଥିବା ଶାଲିମାର ସୁପରଫାଷ୍ଟ ଟ୍ରେନ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ତେବେ ସେ ହେଡ ଫୋନ ଲଗାଇ ରେଳ ଧାରଣା ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ପୂର୍ବରୁ ସେହି ସ୍ଥାନରେ ରେଳ ଫାଟକ ଥିଲା, ହେଲେ ପରେ ୧୮ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରିତ କରାଯାଇ ଉଡ଼ନ୍ତା ପୋଲ ନିର୍ମାଣ ପରେ ସେହି ଫାଟକକୁ ବନ୍ଦ ଦିଆଯାଇଥିଲା। ଏଥିପାଇଁ ଆଜି ଉତ୍ତ୍ୟକ୍ତ ଶତାଧିକ ଅଞ୍ଚଳ ବାସିନ୍ଦା ଆଜିର ଦୁର୍ଘଟଣାର ପ୍ରତିବାଦ ତଥା ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ରେଳ ଧାରଣାରେ ବସିଥିଲେ। ଖବର ପାଇ ବେତନଟୀ ଏସ୍ଡ଼ିପିଓ ସୁଦର୍ଶନ ଦାଶ, ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଓ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।