୬ ମାସ ପ୍ରତୀକ୍ଷା ନୁହଁ, ଏଣିକି ତୁରନ୍ତ ଛାଡ଼ପତ୍ର କରାଯାଇ ପାରିବ : ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ (ସଂକେତ୍ ଟିଭି) ବିବାହ ବିଚ୍ଛେଦ ତଥା ଦାମ୍ପତ୍ୟ କଳହ ନେଇ ସୁପ୍ରିମ୍ କୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି। ପୁନର୍ବାର ସୁସମ୍ପର୍କ ଅସମ୍ଭବ ମନେହେଉଥିବା କ୍ଷେତ୍ରରେ ତୁରନ୍ତ ଛାଡ଼ପତ୍ର କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଏଣକି ଛାଡପତ୍ର ପାଇଁ ସର୍ବନିମ୍ନ ୬ ମାସ ଅପେକ୍ଷା କରିବାକୁ ପଡିବନାହିଁ । ସ୍ବଳ୍ପ ଅବଧି ମଧ୍ୟରେ ତତ୍କାଳ ଛାଡପତ୍ର ପାଇପାରିବେ ଆବେଦନକାରୀ ଦମ୍ପତି । ସମ୍ବିଧାନର ଧାରା ୧୪୩ ଅନୁଯାୟୀ ବିଶେଷ କ୍ଷମତା ପ୍ରୟୋଗ କରି ଅଦାଲତ ପାରସ୍ପରିକ ସମ୍ମତିଦ୍ବାରା ଛାଡ଼ପତ୍ର ପାଇଁ ଥିବା ବାଧ୍ୟତାମୂଳକ ୬ ମାସ ଅପେକ୍ଷା ସମୟସୀମାକୁ ରଦ୍ଦ କରିପାରିବେ। କିନ୍ତୁ, ଏଥିପାଇଁ ସର୍ତ୍ତାବଳି ରହିବ। ସମ୍ବନ୍ଧରେ ସୁଧାର ନୈରାଶ୍ୟଜନକ ବୋଲି ଉଭୟ ପକ୍ଷ ବା କୌଣସି ଗୋଟିଏ ପକ୍ଷଙ୍କୁ ପ୍ରମାଣ ଦେବାକୁ ପଡ଼ିବ।
ବିଚାରପତି ଏସ୍. କେ. କାଉଲ୍ଙ୍କ ଅଧ୍ଯକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ସମ୍ପର୍କିତ ମାମଲାର ଶୁଣାଣି କରି କହିଛନ୍ତି ଯେ, କୌଣସି ବୈବାହିକ ସମ୍ପର୍କର ସ୍ଥାୟୀତ୍ବରେ କୌଣସି ଆଧାର ନଥିଲେ କିମ୍ବା ଉଭୟ ପକ୍ଷଙ୍କ ସହମତିରେ ଏହାକୁ ସମାପ୍ତ କରାଯିବାକୁ ଇଚ୍ଛା ପ୍ରକାଶ କରାଯାଇଥିଲେ ସେ କ୍ଷେତ୍ରରେ ଏହି ବିଶେଷାଧିକାର ପ୍ରୟୋଗ କରାଯାଇ ପାରିବ । ଏହି କ୍ଷେତ୍ରରେ ପୂର୍ବ ସିଦ୍ଧାନ୍ତ ପରିବର୍ତ୍ତେ ଏହାକୁ ବିଶେଷାଧିକାର ପ୍ରୟୋଗ କରି ମଧ୍ୟ ସମାପ୍ତ କରାଯାଇ ପାରିବ । ଏହାଛଡ଼ା, ଭରଣପୋଷଣ ଦେୟ ଓ ପିଲାମାନଙ୍କ ଅଧିକାର ସଂକ୍ରାନ୍ତରେ ସମନ୍ବୟ ରକ୍ଷା କରିବା କଥା ମଧ୍ୟ ଖଣ୍ଡପୀଠ କହିଛନ୍ତି।
‘ନୈରାଶ୍ୟଜନକ ସମ୍ବନ୍ଧ ବିଚ୍ଛେଦ’ କ୍ଷେତ୍ରରେ ଛାଡ଼ପତ୍ର ପାଇବା ପାଇଁ ପରିବାର ଅଦାଲତର ଦୀର୍ଘକାଳୀନ ବିଚାର ପ୍ରକ୍ରିୟା ଓ କାଉନ୍ସେଲିଙ୍ଗ୍ ଆଦିକୁ ଏଡ଼ାଇ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସର୍ବୋଚ୍ଚ ଅଦାଲତ ନିଜର କ୍ଷମତା ପ୍ରୟୋଗ କରି ବିବାହ ବିଚ୍ଛେଦ କରାଇ ପାରିବେ କି, ବୋଲି ଆଗତ କେତେଗୁଡ଼ିଏ ପିଟିସନ୍ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ୨୦୨୨, ସେପ୍ଟେମ୍ବର ୨୯ରେ ସୁପ୍ରିମ୍ କୋର୍ଟ ଉକ୍ତ ପିଟିସନ୍ଗୁଡ଼ିକର ଶୁଣାଣି କରି ନିଷ୍ପତ୍ତି ବା ରାୟ ସଂରକ୍ଷିତ ରଖିଥିଲେ।