ସ୍ବଷ୍ଟ ଦିବାଲୋକରେ ବିଜେଡି କର୍ମୀଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର (ସଂକେତ୍ ଟିଭି) କେନ୍ଦୁଝର ଜିଲ୍ଲା ବଡ଼ବିଲ ମନୀ ଟାୱାର ନିକଟ ଛକରେ ଯୁବକଙ୍କୁ ଗୁଳିକରି ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ସୁନୀଲ ସିହ୍ନା ଓରଫ ଭୋଲା। କେଉଁ କାରଣରୁ ସୁନୀଲଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଗଲା ତାହା ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ସାଢେ ୯ଟା ସମୟରେ ଭୋଲା ନିଜ ସ୍କୁଟିରେ ଘରକୁ ଯାଉଥିଲେ। ବଡ଼ବିଲ ପୋରାଞ୍ଚଳ ୱାର୍ଡ ନଂ ୬ ସ୍ଥିତ ମନି ଟାୱାର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଭୋଲାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୋଲାଙ୍କର ବାମ ଆଖି ପାଖରେ ଗୁଳି ବାଜିଥିବା ଜଣାପଡିଛି।

ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ଖୋକା ଜବତ କରିଥିବା ଜଣାପଡିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ହେଁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସୂଚନା ଥାଉକି, ଗତ ଦୁଇ ବର୍ଷ ତଳେ ୩ ଜଣ ଅଜଣା ଦୁର୍ବୃତ୍ତ ଭୋଲାଙ୍କୁ ବଡ଼ବିଲ ସେଣ୍ଟ ମେରୀ ସ୍କୁଲ ନିକଟରେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ସେତେବେଳେ ଏ ନେଇ ଥାନାରେ ଅଭିଯୋଗ କରି ନ ଥିଲେ ଭୋଲା। ଭୋଲା ଜଣେ ବିଜେଡି କର୍ମୀ ଏବଂ ବଡ଼ବିଲ ପୋରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କର ଅତି ଖାସ୍‌ ଲୋକ ବୋଲି କୁହାଯାଉଛି। ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।