ଆସୁଛି ବାତ୍ୟା, ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ୍ ଟିଭି) ଆଗାମୀ ୬ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ଯରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଏହା ପରବର୍ତ୍ତି ସମୟରେ ବାତ୍ୟାର ରୂପ ନେବାର ଆଶଂକା କରାଯାଉଛି । ଏହି ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ସବୁ ବିଭାଗକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍ ସତ୍ୟବ୍ରତ ସାହୁ।

ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ସମୀକ୍ଷା କରି ସାରିଛନ୍ତି। ତେବେ ସାଧାରଣତଃ ଗ୍ରୀଷ୍ମକାଳୀନ ବାତ୍ୟା ଏପ୍ରିଲ କିମ୍ବା ମେ ମାସରେ ଆସିଥାଏ। ଯାହାର ଅନୁମାନ ଲଗାଇବା କଷ୍ଟକର ହୋଇଥାଏ। ତେବେ ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଅନ୍ୟପଟେ ଏହି ଲଘୁଚାପ ସମ୍ପର୍କରେ ଟିକନିକ୍ ଖବର ରଖିବା ପାଇଁ ଗତକାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସେବା ଆରମ୍ଭ ହୋଇଛି। ୨୪ ଘଣ୍ଟା ଅଫିସରମାନେ ଏହି କଣ୍ଟୋଲ ରୁମରେ ରହିବା ସହିତ ପ୍ରତିଟି ସୂଚନା ରଖିବେ। ତା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ଆବଶ୍ୟକସ୍ଥଳରେ ସ୍କୁଲ ଗୃହକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।

ସେପଟେ ପ୍ରତି ବିଭାଗ ନିଜର ପ୍ରସ୍ତୁତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଜରୁରୀକାଳୀନ ସ୍ଥିତି ପାଇଁ କଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେଇଛନ୍ତି। କୌଣସି ଅସୁବିଧା ରହିଲେ ଏସଆରସିଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ଅପିଲ କରାଯାଇଛି।