ଶରଦ ପାୱାର୍‌ଙ୍କ ଇସ୍ତଫାକୁ ନାମଞ୍ଜୁର କଲା ଏନ୍‌ସିପି କମିଟି

ମୁମ୍ବାଇ (ସଂକେତ୍ ଟିଭି) ଆଜି ମୁମ୍ବାଇରେ ଅନୁଷ୍ଠିତ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) କୋର କମିଟି ବୈଠକରେ ସର୍ବସମ୍ମତକ୍ରମେ ଶରଦ ପାୱାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରାଯାଇଛି। ଗତ ୨ ତାରିଖରେ ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ଦଳୀୟ ନେତା ବିରୋଧ କରିଥିଲେ । ପାୱାର ନିଜର ଇସ୍ତଫା ଫେରାଇ ନିଅନ୍ତୁ ବୋଲି ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତାବ ଆଣି ଏନସିପି କୋର କମିଟି ତାଙ୍କର ଇସ୍ତଫା ଅଗ୍ରାହ୍ୟ କରିଦେଇଛି । ବରିଷ୍ଠ ‘ଏନ୍‌ସିପି’ ନେତା ପ୍ରଫୁଲ ପଟେଲ୍‌ଙ୍କ ନେତୃତ୍ବାଧୀନ କମିଟିର ବୈଠକରେ ଶରଦ ପାୱାର୍‌ଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପୁତୁରା ଅଜିତ ପାୱାର୍‌ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଶରଦ ପାୱାରଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଆଜି ମୁମ୍ବାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କୋରି କମିଟି ବୈଠକ ବସିଥିଲା । ପାୱାରଙ୍କୁ ଅଧ୍ୟକ୍ଷ ପଦ ଜାରି ରଖିବାକୁ ପ୍ରଫୁଲ ପଟେଲ ବୈଠକରେ ପ୍ରସ୍ତାବ ରଖିଥିଲେ । ଶେଷରେ କମିଟି ଏହି ପ୍ରସ୍ତାବକୁ ଗ୍ରହଣ କରି ତାଙ୍କର ଇସ୍ତଫା ନାମଞ୍ଜୁର କରିଛି । ଏନସିପି କୋର କମିଟିରେ ଅଜିତ ପାୱାର ସୁପ୍ରିୟା ସୁଲେ ପ୍ରଫୁଲ୍ଲ ପଟେ ଏବଂ ଭୁଜବଳ ପ୍ରମୁଖ ସଦସ୍ୟ ରହିଛନ୍ତି ।

ପ୍ରଫୁଲ ପଟେଲ୍‌ଙ୍କ ନିକଟରେ ‘ଏନ୍‌ସିପି’ ମୁଖପାତ୍ରମାନେ ଦାଖଲ କରିଥିବା ପ୍ରସ୍ତାବନାରେ ଉଲ୍ଲେଖ ଅଛି ଯେ, ଶରଦ ପାୱାର ଦଳର ଅଧ୍ୟକ୍ଷ ହୋଇ ରହିବେ। ସେମାନେ କହିଛନ୍ତି, ଆମେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଚୟନ କରିବୁ କିନ୍ତୁ, ଶରଦ ପାୱାର ଅଧ୍ୟକ୍ଷ ରହିବେ।

ବୈଠକ ପରେ ପ୍ରଫୁଲ ପଟେଲ୍‌ କହିଛନ୍ତି, ରାଜ୍ୟ, ଦଳ ଓ ଦେଶ ଆପଣଙ୍କୁ ଲୋଡୁଛି। ଆପଣ ଏହି ଦଳର ମୂଳଦୁଆ। ଆପଣ ଦେଶର ସମ୍ମାନିତ ନେତା। ସମଗ୍ର ରାଜ୍ୟରେ ଆପଣଙ୍କ ପ୍ରଭାବ ପରିଲକ୍ଷିତ ହେଉଛି। ଆମେ ସର୍ବସମ୍ମତକ୍ରମେ ତାଙ୍କ ଇସ୍ତଫା ଅଗ୍ରାହ୍ୟ କରୁଛୁ। ସେ ଅଧ୍ୟକ୍ଷ ରୁହନ୍ତୁ ବୋଲି ଦଳ ଚାହୁଁଛି।

ଦଳର ନୂତନ ମୁଖ୍ୟ ଚୟନ କରିବା ଲାଗି ପାୱାର୍‌ ଗଠନ କରିଥିବା ୧୮ ସଦସ୍ୟବିଶିଷ୍ଟ କମିଟିର ବୈଠକ ଚାଲିଥିବା ବ‌େଳେ ବୈଠକସ୍ଥଳ ବାହାରେ ଦଳୀୟ କର୍ମୀମାନେ ଆବେଗିକ ପ୍ରତିବାଦ ପ୍ରଦର୍ଶନ କରୁଥିବା‌ ବେଳେ ଜଣେ ଆତ୍ମାହୁତି ଉଦ୍ୟମ କରିଥିଲେ।