ରାଷ୍ଟ୍ରପତି ଭାଷଣ ଦେବା ବେଳେ ବିଦ୍ୟୁତ ବିଭ୍ରାଟ, ଅନ୍ଧାରରେ ଭାଷଣ ଦେଲେ ଦ୍ରୌପଦୀ ମୁର୍ମୁ
ବାରିପଦା (ସଂକେତ୍ ଟିଭି) ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଉଥିବାବେଳେ ଅଚାନକ ଲାଇଟ କଟିଯାଇଥିଲା । ଷ୍ଟେଜରେ ରାଷ୍ଟ୍ରପତି ଥିବା ବେଳେ ପୁରା ଅଡିଟୋରିଅମ ଅନ୍ଧାର ହୋଇଗଲା । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି। ଏହି ସମୟରେ ପୁରା ହଲ୍ କିଟିକିଟି ଅନ୍ଧାର ହୋଇ ଯାଇଥିଲା। ଏପରିକି ତାଙ୍କ ସୁରକ୍ଷାକର୍ମୀ ବି ଦିଶିଲେ ନାହିଁ । ପୁରା ୯ ମିନିଟ ଯାଏ ଏପରି ଅନ୍ଧାର ହୋଇଥିଲା। ଭାଷଣ ଦେବା ସମୟରେ ବିଦ୍ୟୁତ୍ କଟିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ ‘‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ ।
ସୂଚନା ଅନୁସାରେ, ରାଷ୍ଟ୍ରପତି ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ଆଜି ଅନ୍ତିମ ଦିନ । ଆଜିର କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ବିଦ୍ୟୁତ କଟି ଯାଇଥିଲା । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଲାଇନ କଟିଥିଲା । ବିଜୁଳି କଟିବା ପୂର୍ବରୁ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଭାଷଣ ମାଧ୍ୟମରେ କଲେଜର ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଅର୍ପଣ କରୁଥିଲେ । ଠିକ୍ ସେତିକି ବେଳେ ବିଜୁଳି କଟି ଯିବାରୁ ବିଜୁଳି ବିଭାଗ ଇର୍ଷାନ୍ବିତ ହୋଇ ବିଜୁଳି କାଟିଥିବା ହସି ହସି କହିଥିଲେ ଦ୍ରୌପଦୀ ମୁର୍ମୁ । ତେବେ ମହାମହିମଙ୍କ ଅଭିଭାଷଣ ସମୟରେ ବିଜୁଳି କାଟ୍ ହେବା ଦୁଃଖ ଏବଂ ପରିତାପର ବିଷୟ ବୋଲି ମୟୂରଭଞ୍ଜବାସୀ କହିଛନ୍ତି ।
ଲାଇନ କଟିବା ପରେ ରାଷ୍ଟ୍ରପତିଙ୍କ ପାଖରେ ଥିବା ସୁରକ୍ଷାକର୍ମୀ କିମ୍ବା ଅଙ୍ଗରକ୍ଷୀ କେହି ବି ଦୃଶ୍ୟମାନ ହୋଇ ନଥିଲେ । ପୁରା ହଲରେ କିଟିମିଟି ଅନ୍ଧାର ହେବା ସତ୍ତ୍ବେ ମହାମହିମ ନିଜର ଭାଷଣ ବନ୍ଦ କରିନଥିଲେ । ପୋଡିୟମର ଝାପସା ଲାଇଟରେ ସେ ଭାଷଣ ଦେଇଥିଲେ । ରାଷ୍ଟ୍ରପତିଙ୍କ ଭାଷଣ ବେଳେ ପ୍ରାୟ ୯ ମିନିଟ୍ ଧରି ଅନ୍ଧାର ରହିଥିଲା । ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ଲାଇନ ନଥିଲା । ୯ ମିନିଟ୍ ପରେ ଜେନେରେଟର ଦ୍ବାରା ପୁଣିଥରେ ଲାଇନ ଆସିଥିଲା ।
ବିଦ୍ୟୁତ ବିଭ୍ରାଟ ପାଇଁ MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି । ସେ କ୍ଷମା ମାଗିବା ସହ ଏଭଳି ତ୍ରୁଟି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ବିଲଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା। ଘଟଣା ସମୟରେ ୮ ଜଣ ଇଡକୋ ଅଧିକାରୀ ଉପସ୍ଥିତ ଥିଲେ । ଏପରିକି ପୂର୍ବରୁ ବିଦ୍ୟୁତ୍ ସରବରାହର ବ୍ୟବସ୍ଥାର ଯାଞ୍ଚ ମଧ୍ୟ ସରିଥିଲା । ୩ ଦିନ ପର୍ଯ୍ୟନ୍ତ ହଲକୁ ବିଦ୍ୟୁତ୍ ସରବରାହର ରିହର୍ଲସଲ ମଧ୍ୟ ସରିଥିଲା । ଡେଡିକେଟେଡ ଜେନେରେଟର ଥିଲା, ସେଇଟା ବି କାମ ଦେଲାନି। କିନ୍ତୁ କାହିଁକି ବିଦ୍ୟୁତ୍ କଟିଲା ତାହା ଯାଞ୍ଚ ପରେ ଜଣାପଡିବ । ଏଭଳି ହେବା ଉଚିତ୍ ନୁହେଁ, ମୋତେ ବହୁତ ଅପମାନ ଲାଗିଛି । ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା,ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରୁଛି । ଏସବୁ ପାଇଁ ମୋତେ ଯଦି ଇସ୍ତଫା ଦେବାକୁ ପଡେ ତେବେ ଇସ୍ତଫା ମଧ୍ୟ ଦେଇଦେବି ବୋଲି କହିଛନ୍ତି କୁଳପତି ଡ. ସନ୍ତୋଷ କୁମାର ତ୍ରିପାଠୀ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସି ଏକ ବୈଠକ ଡକାଇଛନ୍ତି । କାହିଁକି ବିଜୁଳି କଟିଲା ବୈଠକରେ ସେନେଇ ଫୁଙ୍ଖାନୁପୁଙ୍ଖ ତର୍ଜମା ହେବ ।