ଉଡନ୍ତା ବିମାନରେ ମହିଳା ଯାତ୍ରୀଙ୍କୁ କାମୁଡିଲା ବିଛା
ନୂଆଦିଲ୍ଲୀ (ସଂକେତ୍ ଟିଭି) ନାଗପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ମଝି ଆକାଶରେ ଯାତ୍ରୀଙ୍କୁ କାମୁଡି ଥିଲା ବିଛା । ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ ଏହି ଘଟଣାକୁ ସ୍ବୀକାର କରାଯାଇଛି । ଗତ ଏପ୍ରିଲ ୨୩ ତାରିଖରେ ନାଗପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡୁଥିବା ବେଳେ ମଝି ଆକାଶରେ ଏକ ମହିଳା ଯାତ୍ରୀଙ୍କୁ ବିଛା କାମୁଡି ଦେଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଆମେ ଅନେକ ସମୟରେ ବିମାନରେ ପକ୍ଷୀ ମାଡ ସାପ ଏବଂ ମୂଷା ଦେଖାଯାଉଥିବା ଜାଣିଥିଲେ ହେଲେ ମଝି ଆକାଶରେ ବିଛା କାମୁଡିବା ବିରଳ ଘଟଣା ଅଟେ । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଏପ୍ରିଲ ୨୩ ତାରିଖରେ AI630 ଏୟାର ଇଣ୍ଡିଆ ବିମାନ ନାଗପୁରରୁ ଉଡାଣ ଭରିଥିବା ବେଳେ ମଝି ଆକାଶରେ ଯାତ୍ରୀଙ୍କ ସହ ବିରଳ ଅଘଟଣ ଘଟିଥିଲା । ମହିଳା ଯାତ୍ରୀଙ୍କୁ ଏକ ବିଛା କାମୁଡି ଦେଇଥିଲା । ଏହା ସତରେ ବିରଳ ଘଟଣା ଅଟେ ।
ତେବେ ମୁମ୍ବାଇରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ପ୍ରଥମେ ଏୟାରପୋର୍ଟରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାପରେ ତାଙ୍କୁ ସଙ୍ଗସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଲେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଏହି ଘଟଣା ପରେ ଏୟାର ଇଣ୍ଡିଆର ଇଞ୍ଜିନିୟରମାନେ ପୁରା ବିମାନରେ ଯାଞ୍ଚ କରିଥିଲେ । ଆମ ଟିମ ପ୍ରୋଟକଲ ମାନି ବିମାନର ଯାଞ୍ଚ କରି ବିଛାକୁ ଧରିଥିଲେ । ଏହାପରେ ସମ୍ପୂର୍ଣ୍ଣ ବିମାନକୁ ଶୋଧନ କରାଯାଇଥିଲା । ବିମାନରେ ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।
ପ୍ରକାଶଥାଉକି ଗତ ଏପ୍ରିଲ ୬ ତାରିଖରେ ମଝି ଆକାଶରେ ବିମାନର କକପିଟ୍ରୁ ଏକ ବିଷଧର ସାପ ବାହାରି ଥିଲା । ୧୧ ଫୁଟ ଉଚ୍ଚରେ ଉଡୁଥିବା ବେଳେ ପାଇଲଟ ସାପକୁ ଦେଖିଥିଲେ । ହେଲେ ଭୟଭୀତ ନ ହୋଇ ସୁରକ୍ଷିତ ଭାବେ ବିମାନକୁ ଜରୁରୀ ଅବତରଣ କରିଥିଲେ ।