ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବକୁ ବସ୍ତାରେ ରଖିଥିଲେ ଶଶୁର ଘର ଲୋକେ

ବାଲେଶ୍ୱର (ସଂକେତ୍ ଟିଭି) ବାଲେଶ୍ୱର ସଦର ବ୍ଲକ ତଥା ବସ୍ତା ଥାନା ଅନ୍ତର୍ଗତ ହଲଦୀପଦା ପଞ୍ଚାୟତର ପାଳିସିଆ ଗ୍ରାମରେ ପାରିବାରିକ କଳହରୁ ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାଯାଇଛି। ହେଲେ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ୱର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତ ମୁରୁଡ଼ା ଗ୍ରାମର ରଘୁନାଥ ଦାସଙ୍କ ଝିଅ ମାମା ଓରଫ ମଧୁସ୍ମିତା ଦାସ (୨୭)ଙ୍କ ସହିତ ପାଳିସିଆ ଗ୍ରାମର କଟିବୁଢ଼ା ଦାସଙ୍କ ପୁଅ ପୁପୁନ ଓରଫ ସାଦିଆ ଦାସଙ୍କର ୭ବର୍ଷ ତଳେ ବିବାହ ହେଇଥିଲା। ପୁପୁନ ଔରସରୁ ମାମାଙ୍କର ଜଣେ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ରହିଛି। ତେବେ କୌଣସି କାରଣରୁ ପାରିବାରିକ ଝଗଡାକୁ ସହ୍ୟ କରି ନପାରି ଦିନ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ କାହାରିକୁ ନଜଣାଇ ମୃତ ସ୍ତ୍ରୀର ଖଣ୍ଡବିଖଣ୍ଡ ଶରୀରକୁ ଅଖାରେ ଭର୍ତ୍ତି କରି ଘରକୁ ନେଇ ଆସିବା ନେଇ ଉତ୍ତେଜନା ଲାଗି ରହିଛି।

ସେପଟେ ପୁପୁନ ଓ ତାଙ୍କ ପରିବାର ଲୋକେ ମାମାକୁ ପ୍ରାୟ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ତେବେ ଗତ ଶୁକ୍ରବାର ଦିନଠାରୁ ମାମାଙ୍କୁ ପଡୋଶୀ ଲୋକେ ଦେଖିବାକୁ ନ ପାଇବାରୁ ସନ୍ଦେହରେ ମାମାଙ୍କର ବାପଘର ଲୋକଙ୍କୁ ଶନିବାର ଅପରାହ୍ନରେ ଖବର ଦେଇଥିଲେ। ବାପଘର ଲୋକେ ମାମାଙ୍କ ଶଶୁର ଘରେ ପହଞ୍ଚି ଘରେ କେହି ନ ଥିବା ଦେଖିଥିଲେ। ବାରଣ୍ଡାରେ ଥୁଆ ହେଇଥିବା କାର ନିକଟରେ ଏକ ଜରି ବସ୍ତାରେ ଭର୍ତ୍ତି ହୋଇ କିଛି ରଖାଯାଇଥିବାର ଦେଖି, ଝିଅ ବାପଘର ଲୋକେ ବସ୍ତାର ମୁହଁ ଖୋଲିଥିଲେ। ହେଲେ ସେଥିରେ ତାଙ୍କ ଝିଅକୁ ଅତି ନୃଶଂସଭାବରେ ହଣାଯାଇ ଖଣ୍ଡ ବିଖଣ୍ଡିତ ମାଂସ ଓ ମୁଣ୍ଡ ପ୍ରଭୁତିକୁ ଜରି ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିବା ଦେଖିବାକୁ ପାଇଥିଲେ।

ଖବରପାଇ ବସ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ପ୍ରଶମିତ କରିଥିବା ବେଳେ, ପରିବାର ବର୍ଗ ସାଧବଙ୍କ ନାମରେ ଆଣିଛନ୍ତି ହତ୍ୟା ଅଭିଯୋଗ। ବସ୍ତା ଏସଡିପିଓ ଜଳନ୍ଧର ଜାଲି ଉପସ୍ଥିତ ଲୋକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଅଭିଯୋଗକାରୀ ଜିଦ୍ ରେ ଅଟଳ ରହିଛନ୍ତି। ଉତ୍ୟକ୍ତ ଲୋକ ସାଧବଙ୍କ ଘର ଭଙ୍ଗାରୁଜା କରିଥିବା ବେଳେ ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ଏଥି ସହିତ ଆଜି ସକାଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।