ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ବର (ସଂକେତ୍ ଟିଭି) ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିଛନ୍ତି । ନୀତୀଶ କୁମାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ବାଗତ କରିଥିଲେ। ଏହାପରେ ନୀତୀଶ ସିଧା ନବୀନ ନିବାସ ଯାଇଥିଲେ। ପ୍ରାୟ ଏକ ଘଣ୍ଟା କାଳ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।

ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା କରାଯାଉଥିଲା । ତାହାର ଅନ୍ତଃ ଘଟାଇ ନବୀନ-ନୀତୀଶ ଭେଟ ପରେ ଗଣମାଧ୍ୟମକୁ ଦୁଇ ନେତା ଏକାଠି ପ୍ରତିକ୍ରିୟା ଦେଇ କୌଣସି ରାଜନୌତିକ ଆଲୋଚନା ହୋଇନଥିବା କହିଛନ୍ତି। ନୂଆ ସାମୁଖ୍ୟକୁ ନେଇ ଯେଉଁ ସବୁ ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ – ନୀତୀଶ।

ତିଶଙ୍କ ସହ ଭେଟଘାଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ ନୀତିଶ କୁମାରଙ୍କୁ ଭେଟି ମୁଁ ବହୁତ ଖୁସି। ଓଡିଶା ପଡୋଶୀ ରାଜ୍ୟ ବିହାର ସହ ଭଲ ସମ୍ପର୍କ ରହିଛି। ଆଶା କରୁଛି ନୀତିଶ କୁମାରଙ୍କ ଏହି ଗସ୍ତ ଫଳପ୍ରଦ ହେବ। ତେବେ ମେଣ୍ଟ ଆଲୋଚନା ହୋଇନି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା। ବିହାର ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଦେଢ଼ ଏକର ଜାଗା ବିହାର ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ। ବିହାରର ‌ଯେଉଁ ତୀର୍ଥଯାତ୍ରୀ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବାକୁ ଆସୁଛନ୍ତି, ସେମାନେ ଏଠାରେ ରହିପାରିବେ। ବିନା ମୂଲ୍ୟରେ ତାହା ଯୋଗାଇ ଦିଆଯିବ।

ସେପଟେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି ଆମେ ଦୁହେଁ ପୁରୁଣା ବନ୍ଧୁ, ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲୁ। ଏହାପୂର୍ବରୁ ଅନେକଥର ମୁଁ ଏଠାକୁ ଆସିଛି । କିନ୍ତୁ କରୋନା କାରଣରୁ ଦୀର୍ଘ ଦିନ ହେବ ଦେଖା ହୋଇନଥିଲା । ତେଣୁ ଆସିବାକୁ ଇଚ୍ଛା କରି ଚାଲି ଆସିଲି। ଏହି ଭେଟଘାଟରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ ।

ଅନ୍ୟପଟେ ନୀତୀଶଙ୍କ ସହ ସାକ୍ଷାତକୁ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେ ଖୁସି ବୋଲି ନବୀନ କହିଛନ୍ତି। ବିହାର ଓ ଏହାର ଲୋକଙ୍କ ସହ ଓଡ଼ିଶାର ଏକ ସ୍ୱତନ୍ତ୍ର ସଂପର୍କ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ ଜରିଆରେ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ସମୀକରଣ ନେଇ ଦେଶର ରାଜନୀତି ସରଗରମ ହୋଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।