ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବାଦ (ସଂକେତ୍ ଟିଭି) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏହାପରେ ସମଗ୍ର ପାକିସ୍ତାନରେ ହିଂସା ଆରମ୍ଭ ହୋଇଯାଇଛି । ନିକଟରେ ଇମ୍ରାନ ପାକିସ୍ତାନ ସେନା ତଥା ଦେଶର ଗୁପ୍ତଚର ସଂସ୍ଥା ISI ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ । ସେନା ଓ ISI ମିଶି ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା ଇମ୍ରାନ କହିଥିଲେ ।

କ୍ଷମତାରୁ ହଟିବା ପରେ ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଇମ୍ରାନ ଗତ କିଛି ଦିନ ଗିରଫ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଇନଗତ ଲଢେଇ ମଧ୍ୟରେ ତାଙ୍କୁ ଶେଷରେ ଆଜି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଇସଲାମାବାଦ ଓ ଲାହୋର ସମେତ ଏକାଧିକ ପାକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଗିରଫ ହେବା ପରେ ଇମ୍ରାନଙ୍କ ଦଳ ପିଟିଆଇ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଛି ଯେ ଗିରଫ ହେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଧକ୍କା ଦିଆଯାଇଥିଲା । ଏକ ଭିଡିଓ ସହ ଦଳ ଟୁଇଟ୍ କରି ଲେଖିଛି, “ରେଞ୍ଜର୍ସ ଯବାନମାନେ ଆହତ ଇମ୍ରାନ୍ ଖାନଙ୍କୁ ନିର୍ମମ ଭାବେ ଠେଲି ଦେଇଥିଲେ । ପାକିସ୍ତାନ, ଦେଶର ଲୋକଙ୍କୁ ବଞ୍ଚାଇବାର ଏହି ସମୟ… ଏହାପରେ ଆଉ କୌଣସି ସୁଯୋଗ ମିଳିବ ନାହିଁ।“

ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ଜିଓ ନ୍ୟୁଜ୍ ରିପୋର୍ଟ କରିଛି ଯେ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ କରିଛି। ଇମ୍ରାନ୍ ଖାନଙ୍କ ଦଳ ପିଟିଆଇର ଓକିଲ ଫୈଜଲ ଚୌଧୁରୀ ଏହି ଗିରଫଦାରୀକୁ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିନା ପ୍ରମାଣରେ କାର୍ଯ୍ୟରତ ଆଇଏସଆଇ ଅଧିକାରୀଙ୍କ ବିରୋଧରେ ଅତ୍ୟନ୍ତ ଦାୟିତ୍ୱହୀନ ଓ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ସୋମବାର ଦିନ ପାକିସ୍ତାନ ସେନା ଇମ୍ରାନ ଖାନଙ୍କୁ ନିନ୍ଦା କରିଥିଲା । ଏହାର ଦିନକ ପରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ କୁ ନେଇ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ ।