ସୁନା ଚେନ ଛିନତାଇ ଗ୍ୟାଙ୍କର ୩ ସଦସ୍ୟ ଗିରଫ

ଭଦ୍ରକ (ସଂକେତ୍ ଟିଭି) ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ କରୁଥିବା ତଥା ଅନେକ ସମୟରେ ଡ଼ିକି ଭାଙ୍ଗି ଟଙ୍କା ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଭଦ୍ରକ ପୋଲିସ କାବୁ କରିଛି । ଏହି ଗ୍ୟାଙ୍ଗର ୩ ଜଣ ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ, ଭଦ୍ରକ ସହରରେ ବାଇକ ଡ଼ିକି ଭାଙ୍ଗି ୨ଟି ଭିନ୍ନ ଭିନ୍ନ ସ୍ଥାନରେ ୧ ଲକ୍ଷ ୪୦ ହଜାର ଓ ୧ ଲକ୍ଷ ୯୫ ହଜାର ଟଙ୍କା ଲୁଟ ହୋଇଥିଲା । ଏହି ଲୁଟ ଘଟଣାରେ ଅଭିଯୁକ୍ତ ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳର ନବୀ ହୁସେନକୁ ଗିରଫ କରାଯାଇଛି । ତା ନିକଟରୁ ୨୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ୧ ଲକ୍ଷ ୫୦ ହଜାର ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଚୋରି ଟଙ୍କାରେ କିଣା ଯାଇଥିବା ବାଇକ୍ ମଧ୍ୟ ଜବତ ହୋଇଛି ।

ସେହିଭଳି ସୁନା ଅଳଙ୍କାର ଛଡାଇ ନେବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ୬୦ ହଜାରରୁ ଅଧିକ ଟଙ୍କା ପୋଲିସ ଜବତ କରିଛି । ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ମଧ୍ୟ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।