ଆଦାନୀ ଗୃପକୁ ଲାଗିଲା ଆଉ ଏକ ବଡ ଝଟକା

ନୂଆଦିଲ୍ଲୀ (ସଂକେତ୍ ଟିଭି) ଆଦାନୀ ଗ୍ରୀନ, ଆଦାନୀ ଟ୍ରାନ୍ସମିଶନ ଏବଂ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନ୍‌କୁ ‘କମ୍ପାନୀଜ୍ ଟେକିଂ ଆକ୍ସନ’ ସୂଚୀରୁ ବାହାର କରାଯାଇଛି। ଏହି ସୂଚୀକୁ ଜାତିସଂଘର ଏକ ଗ୍ରୁପ ସାଇନ୍ସ ବେସଡ ଟାର୍ଗେଟ୍ସ ଇନିସିଏଟିବ୍ସ ଦ୍ୱାରା ପ୍ରକାଶ କରାଯାଇଥାଏ । ଏଣିକି ଅଦାନୀର ଏହି ତିନି କମ୍ପାନୀକୁ ଜାତିସଂଘର ସହଯୋଗ ମିଳିପାରିବନାହିଁ।

ଏସବିଟିଆଇ ଗ୍ରୁପ କମ୍ପାନିଗୁଡିକ ପ୍ୟାରିସ ବୁଝାମଣା ହିସାବରେ କମ୍ପାନିଙ୍କ ନିର୍ଗମନ ହ୍ରାସ କରାଇବା ପାଇଁ ଯୋଜନା ପ୍ରସ୍ତୁତିରେ ସହଯୋଗ କରିଥାଏ । ଏହି ବୁଝାମଣା ଅନୁସାରେ ଗ୍ଲୋବାଲ ୱାର୍ମିଂକୁ ସୀମିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ । SBTi ସୂଚୀରୁ ବାହାରିବା ପରେ ଏବେ ଆଦାନୀ ଗ୍ରୁପର ତିନି କମ୍ପାନିକୁ ଏହି ସହଯୋଗ ମିଳିପାରିବ ନାହିଁ । ୟୁଏନ ଗ୍ରୁପର ମୁଖପାତ୍ରଙ୍କ କହିବା ଅନୁସାରେ ଏହି କମ୍ପାନିଗୁଡିକ ଧାର୍ଯ୍ୟ ମାନଦଣ୍ଡ ଏବଂ ନୀତିଗତ ଆବଶ୍ୟକତାକୁ ପୂରଣ କରୁ ନାହିଁ । ଏହି କାରଣରୁ ଏମାନଙ୍କୁ ବାହାର କରି ଦିଆଯାଇଛି ।

SBTi ସୂଚୀରୁ ହଟିବା ଉପରେ ଆଦାନୀ ଗ୍ରୁପ କହିଛି ଯେ ୟୁଏନ ଗ୍ରୁପଠାରୁ ଏହା ପଛର କାରଣ ଜାଣିବା ପାଇଁ ଉଦ୍ୟମ କରାଯାଇଛି । ଆଦାନୀ ଗ୍ରୁପ ଏହା ମଧ୍ୟ ଆଶା ରଖିଛି ଯେ SBTi ନିଜ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବ ଏବଂ ଏହାର କମ୍ପାନିଗୁଡିକୁ ନିଜ ସୂଚୀରେ ସାମିଲ କରାଇବ । ଆଦାନୀ ଗ୍ରୁପ କହିଛି ଯେ ଏହି ତିନି କମ୍ପାନି କୌଣସି ପ୍ରକାର ତେଲ, ପ୍ରାକୃତିକ ଗ୍ୟାସ, କୋଇଲା କିମ୍ୱା ଅନ୍ୟ ଜୀବାଶ୍ମ ଇନ୍ଧନ ଉତ୍ପାଦନ କରୁ ନାହିଁ ଏବଂ SBTiରେ ସାମିଲ ହେବା ପରେ କର୍ବନ ନିର୍ଗମନ କମ କରିବା ଉପରେ ଯୋଜନା କରୁଛି ।

ଆଦାନୀ ଗ୍ରୁପ ଗ୍ରୀନ ଏନର୍ଜୀ ପ୍ରୋଜେକ୍ଟ ପାଇଁ ପ୍ରାୟ ୮୦ କୋଟି ଡଲାର ଏକାଠି କରିବାକୁ ପ୍ରୟାସ କରୁଛି । ନବୀକରଣଯୋଗ୍ୟ ଉର୍ଜାର ସବୁଠୁ ବଡ଼ ଉତ୍ପାଦକ ଏବଂ ଗ୍ରୀନ ଡାଟା ଷ୍ଟୋରେଜ ମାମଲାରେ ଦୁନିଆରେ ସବୁଠୁ ଉପରେ ରହିବା ପାଇଁ ଗ୍ରୁପ୍ ଯୋଜନା କରୁଛି ।