ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ ବିଜୟ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆଜି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ବିବାଦ ସମ୍ବନ୍ଧୀୟ ମାମଲାରେ ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀର ପ୍ରଶାସନିକ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ । ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୁପ୍ରିମ୍ କୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ସରକାରରେ, ପ୍ରଶାସନର ବାସ୍ତବ କ୍ଷମତା ସରକାରଙ୍କ ନିର୍ବାଚିତ ଶାଖା ଉପରେ ନ୍ୟସ୍ତ ରହିବା ଆବଶ୍ୟକ। ଜମି, ପୋଲିସ ଏବଂ ଆଇନ ଶୃଙ୍ଖଳାକୁ ନେଇ କୌଣସି ମାମଲା ବ୍ୟତୀତ ଅନ୍ୟ ପ୍ରଶାସନିକ ସେବା ଦିଲ୍ଲୀ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ରହିବ। ଏହି ତିନୋଟି ପ୍ରସଙ୍ଗକୁ ଛାଡି ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ବାକି ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ।
ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇ ଥିବା ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଚାଲିଥିବା ଶାସନ ଭଳି ଦିଲ୍ଲୀର ଶାସନ ଚାଲୁଥିବାରୁ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ ଅଟନ୍ତି।
ସୂଚନାଯୋଗ୍ୟ, ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କ୍ଷମତା ସ୍ପଷ୍ଟରୂପେ ଦର୍ଶାଇବା ପାଇଁ ‘ଆପ୍’ ନେତୃତ୍ବାଧୀନ ଦିଲ୍ଲୀ ସରକାର ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ।
ଚଳିତ ବର୍ଷ ଜାନୁଆରି ମାସରେ ଏହି ମାମଲାର ୪ ଦିନ ଶୁଣାଣି କରିବା ପରେ ପ୍ରଧାନ ବିଚାରପତି ଡି. ୱଇ. ଚନ୍ଦ୍ରଚୂଡ଼, ବିଚାରପତି ଏମ୍. ଆର୍. ଶାହ, କୃଷ୍ଣ ମୁରାରୀ, ପି. ଏସ୍. ନରସିଂହ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।