ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ନୀତୀଶ କୁମାର

ମୁମ୍ବାଇ (ସଂକେତ୍ ଟିଭି) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଙ୍କୁ ଗୁରୁବାର ମୁମ୍ବାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତକାର ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବାକୁ ଅଣ ରାଷ୍ଟ୍ରୀୟ ଜନତାନ୍ତ୍ରୀକ ମେଣ୍ଟର ସମସ୍ତ ଦଳଙ୍କୁ ଏକାଠି କରିବାକୁ ବିରୋଧୀ ଏକତାକୁ ମଜଭୁତ କରିବାକୁ ପ୍ରୟାସ କରାଯାଇଥିବା କୁହାଯାଉଛି। ମାତ୍ର ଦୁଇ ଦିନ ତଳେ ନୀତିଶ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ତେବେ ଏହି ସାକ୍ଷାତକାର ପରେ ନୀତୀଶ ଓ ଉଦ୍ଧବ ଉଭୟ ନେତା ମିଡିଆ ସହ କଥା ହୋଇଛନ୍ତି। ଉଦ୍ଦବ ଠାକରେ କହିଛନ୍ତି, ଏହି ଦେଶରେ ପ୍ରଜାତନ୍ତ୍ରର ରକ୍ଷା କରିବା ଆମର କାମ। ରାଜନୀତିରେ ମତଭେଦ ହୋଇଥାଏ, ହେଲେ ଆମର ଗୋଟିଏ ମତ ହେଉଛି କି ଏହି ଦେଶକୁ ବଞ୍ଚାଇବା।

ସେପଟେ ନୀତୀଶ କହିଛନ୍ତି ଯେ ଅଧିକରୁ ଅଧିକ ବିରୋଧୀ ଦଳ ଏକାଠି ହେବା ଦରକାର । ଉଦ୍ଧବ ମଧ୍ୟ ନୀତୀଶଙ୍କ ଏହି ବୟାନକୁ ସମର୍ଥନ କରିଛନ୍ତି ଓ କହିଛନ୍ତି, ଆମକୁ ଏକଜୁଟ ହୋଇ ଆଗକୁ ବଢ଼ିବାକୁ ପଡ଼ିବ।

ନବୀନ ପଟ୍ଟନାୟକ ଓ ଉଦ୍ଧବଙ୍କୁ ଭେଟିବା ପୂର୍ବରୁ ନୀତୀଶ ରାହୁଲ ଗାନ୍ଧି, ଅରବିନ୍ଦ କେଜ୍ରିଓ୍ବାଲ, ସପା ମଧ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ସେହିପରି ଆଜି ( ମେ ୧୧) ସେ ମଧ୍ୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ ।