ଭାଣିଜୀ ବିବାହରେ ଷ୍ଟେଜରେ ନାଚୁଥିବାବେଳେ ଚାଲିଗଲା ମାମୁଁଙ୍କ ଜୀବନ
ରାୟପୁର (ସଂକେତ୍ ଟିଭି) ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର ଇଞ୍ଜିନିୟର୍ ଦିଲୀପ ରାଉତକର ଭାଣିଜୀ ବିବାହ ଉତ୍ସବର ଷ୍ଟେଜରେ ନାଚୁଥିବା ବେଳେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି । ତାଙ୍କର ଆକସ୍ମିକ ମୃତ୍ୟୁର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ।
ସୂଚନା ଅନୁସାରେ, ଛତିଶଗଡ଼ର ଦିଲୀପ ରାଉତକର ଭିଲାଇ ଷ୍ଟିଲ ପ୍ଲାଣ୍ଟର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ସହକାରୀ ଇଞ୍ଜିନିୟର୍ କାର୍ଯ୍ୟରତ ଥିଲେ। ତାଙ୍କ ବନ୍ଧୁ କେଶବ ଜାମ୍ବୁଲକର କହିବା ଅନୁଯାୟୀ ମେ ୪ ତାରିଖରେ ଦିଲୀପଙ୍କ ଭାଣିଜୀଙ୍କ ବିବାହ ଉତ୍ସବ ଥିଲା । ସେହିଦିନ ରାତି ପ୍ରାୟ ୧୨ଟାରେ ୫୨ ବର୍ଷୀୟ ଦିଲୀପ ଓ ତାଙ୍କ ସମ୍ପର୍କୀୟମାନେ ବରକନ୍ୟାଙ୍କ ସହ ଷ୍ଟେଜରେ ଧୁମ୍ ନାଚିଥିଲେ । ହେଲେ ବେଶି ସମୟ ରହିନଥିଲା ପରିବାରର ଖୁସି । ହଠାତ୍ ଦିଲୀପଙ୍କ ଛାତିରେ ହୋଇଥିଲା ଯନ୍ତ୍ରଣା । ହସ୍ପିଟାଲ ନେବାକୁ ଭାବିବା ପୂର୍ବରୁ ସେହିଠାରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା ।