ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଘରେ ଆୟକର ଚଢାଉ

କେନ୍ଦୁଝର (ସଂକେତ୍ ଟିଭି) କେନ୍ଦୁଝର ଜିଲ୍ଲାର ବାହୁବଳୀ ନେତା ତଥା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ ଘରେ ଆଜି ଗୁରୁବାର ଆୟକର ବିଭାଗ ରେଡ୍ କରିଛି । ଭୁବନେଶ୍ବର କେନ୍ଦୁଝର ଓ ଯୋଡା ସମେତ ମୋଟ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଚଢାଉରେ ଆୟକର ବିଭାଗର ୧୦ ଜଣିଆ ଟିମ୍ ସାମିଲ ଅଛନ୍ତି । ଟିକସ ଫାଙ୍କିବା ମାମଲାରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳୁ ପୂର୍ବତନ ବିଧାୟକଙ୍କ କେନ୍ଦୁଝର ଜିଲ୍ଲାର ବଡ଼ହଳ ନମ୍ବିରା ସ୍ଥିତ ବାସଭବନ ଓ ଭୁବନେଶ୍ବର ସ୍ଥିତ ବାସଭବନ ଠାରେ ଏକକାଳୀନ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ତାଙ୍କ ଦ୍ବାରା ପରିଚାଳିତ ଜଗତ ଜନନୀ ସେବା ଟ୍ରଷ୍ଟର ଆୟ ବ୍ୟୟର ହିସାବ ନିକାସ ପାଇଁ ଏହି ଚଢ଼ାଉ ହୋଇଥିବା ବିଶ୍ବସ୍ଥ ସୂତ୍ରରୁ ଜଣାପଡ଼ିଛି । ତେବେ ସନାତନ ମହାକୁଡ଼ ଅସୁସ୍ଥ ଥିବାରୁ ବର୍ତ୍ତମାନ ସେ ଭୁବନେଶ୍ବରରେ ଅଛନ୍ତି । ତାଙ୍କର କେଉଁ ସୂତ୍ରରୁ ଆୟ ହେଉଛି ସେନେଇ ବହୁ ଦିନରୁ ନଜର ଥିଲା । ଏନେଇ ଆଜି ଆୟକର ବିଭାଗର ୧୦ ଜଣିଆ ଟିମ୍ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରି ତନାଘନା କରୁଛନ୍ତି ।

ସନାତନ ମହାକୁଡ଼ ସ୍ବାଧୀନ ବିଧାୟକ ହୋଇଥିଲେ ହେଁ ବିଜେଡି ଦଳ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ । ସେ ଗତ ବିଧାନସଭା ଓ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ନେଇ ବିଜେପି ପକ୍ଷରୁ ଆୟକର ଚଢ଼ାଉ ପାଇଁ ଦାବି ହୋଇଆସୁଥିଲା ।