ଉଦ୍ଧବ ସରକାର ବିରୋଧରେ ଫ୍ଲୋର୍ ଟେଷ୍ଟ୍ ଡକାଇ ରାଜ୍ୟପାଳ ଭୁଲ୍ କରିଛନ୍ତି: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆଜି ସୁପ୍ରିମକୋର୍ଟ ଉଦ୍ଧବ ଠାକ୍ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିବାଦରେ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଇସ୍ତଫା ଦେଇଥିବା କାରଣରୁ ଉଦ୍ଧବ ଠାକ୍ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ‘ଫ୍ଲୋର୍ ଟେଷ୍ଟ୍’ ଡକାଇ ରାଜ୍ୟପାଳ ମଧ୍ୟ ଆଇନଗତ ତ୍ରୁଟି କରିଛନ୍ତି । ସେପଟେ ୧୬ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ମାମଲା ଏକ ବୃହତ ବେଞ୍ଚକୁ ପଠାଯାଇଛି। ୭ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ର ବିବାଦର ବିଚାର କରିବେ।
ସୁପ୍ରିମ୍ କୋର୍ଟ କହିଛନ୍ତି, ଉଦ୍ଧବ ଠାକ୍ରେ ତାଙ୍କ ଦଳର ବିଧାୟକମାନଙ୍କ ସମର୍ଥନ ହରାଇଛନ୍ତି ବୋଲି ‘ଶିବସେନା’ର ଆଉ ଏକ ଗୋଷ୍ଠୀର ବିଧାୟକମାନଙ୍କ ପ୍ରସ୍ତାବନା ଉପରେ ଭରସା କରି ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋଶିୟାରି ତ୍ରୁଟି କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ଭାରତର ସମ୍ବିଧାନର ବିରୁଦ୍ଧାଚରଣ କରୁଛି। ଦଳର ଅଭ୍ୟନ୍ତରୀଣ ବିବାଦ ସମାଧାନ କରିବା ପାଇଁ ସଂଖ୍ୟାଗରିଷ୍ଠତା ବା ‘ଫ୍ଲୋର୍ ଟେଷ୍ଟ୍’ ଉପଯୋଗ କରାଯାଇପାରିବ ନାହିଁ।
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଦେବେନ୍ଦ୍ର ଫଡ଼ନବୀସ ଏବଂ ସ୍ବାଧୀନ ବିଧାୟକମାନେ ଅନାସ୍ଥା ପ୍ରସ୍ତାବ ଆଗତ କରି ନ ଥିବା ବେଳେ ରାଜ୍ୟପାଳ ନିଜର ନିର୍ଣ୍ଣୟ ପ୍ରୟୋଗ କରିବା ଆଇନସମ୍ମତ ନୁହେଁ।
ତତ୍କାଳୀନ ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ, ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଗତବର୍ଷ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବିଦ୍ରୋହ କରିଥିବା ସିନ୍ଦେଙ୍କୁ କିଂବା ଆଉ ୧୬ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଏ ମାମଲାରେ ବିଚାରପତିମାନଙ୍କର ବୃହତ୍ତର ଖଣ୍ଡପୀଠ ରାୟ ଶୁଣାଇବା ପର୍ଯ୍ୟନ୍ତ ବାଚସ୍ପତିଙ୍କ ହାତରେ ସମସ୍ତ କ୍ଷମତା ରହିବ। ପ୍ରକୃତ ‘ଶିବସେନା’ କିଏ, ତାହା ବାଚସ୍ପତି ଓ ନିର୍ବାଚନ କମିସନ୍ ସ୍ଥିର କରିବେ। ଅଯୋଗ୍ୟତା ପ୍ରସଙ୍ଗ ମଧ୍ୟ ବାଚସ୍ପତି ସ୍ଥିର କରିବେ।
ସର୍ବୋଚ୍ଚ ଅଦାଲତ ପୁଣି କହିଛନ୍ତି, ଯଦି ଉଦ୍ଧବ ଠାକ୍ରେ ଇସ୍ତଫା ଦେଇ ନ ଥା’ନ୍ତେ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇ ପାରିଥାଆନ୍ତା।
ସୁପ୍ରିମ୍ କୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଠାକ୍ରେଙ୍କ ପ୍ରମୁଖ ସହଯୋଗୀ ସଞ୍ଜୟ ରାଉତ କହିଛନ୍ତି, ସାମ୍ପ୍ରତିକ ସରକାର ବେଆଇନ ବୋଲି ସୁପ୍ରିମ୍ କୋର୍ଟଙ୍କ ରାୟରୁ ଜଣାଗଲା। ଏହା ଆମ ପାଇଁ ନୈତିକ ବିଜୟ।