ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ, ୧ ଘଣ୍ଟାରେ ହାଜର କରିବାକୁ ନିର୍ଦେଶ ଦେଲେ ପାକ୍ କୋର୍ଟ

ନୂଆଦିଲ୍ଲୀ (ସଂକେତ୍ ଟିଭି) ପାକିସ୍ତାନର ସୁପ୍ରିମକୋର୍ଟ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କରିଛନ୍ତି । ଏଥିସହ ଏକ ଘଣ୍ଟା ମଧ୍ୟରେ ଇମ୍ରାନ ଖାନଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଭବିଷ୍ୟତ ପାଇଁ ଏକ ଉଦାହରଣ ସୃଷ୍ଟି କରିବାର ଏହା ହେଉଛି ଉପଯୁକ୍ତ ସମୟ। ପାକିସ୍ତାନକୁ ଜେଲ ହେବାକୁ ଦିଆଯିବ ନାହିଁ। ଅନୁସନ୍ଧାନ ଏଜେନ୍ସି ଏନଏବି ଦେଶକୁ ବହୁତ ବର୍ବାଦ କରିଦେଇଛି।

ତେବେ ପାକିସ୍ତାନର ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗୁରୁବାର ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଇମ୍ରାନ ଖାନଙ୍କ ଗିରଫଦାରୀକୁ ବୈଧ ଘୋଷଣା କରି ଇସଲାମାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ରଦ୍ଦ କରିବାକୁ ପିଟିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହି ଆବେଦନରେ କୁହାଯାଇଥିଲା ଯେ ହାଇକୋର୍ଟଙ୍କ ଆଦେଶ ସମ୍ବିଧାନର ଧାରା ୧୦ଏ ବିରୁଦ୍ଧ ଅଟେ। ଇସଲାମାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧାଭାସରେ ପରିପୂର୍ଣ୍ଣ। ଏନଏବିର ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ୱାରେଣ୍ଟ ବେଆଇନ ବୋଲି କୁହାଯାଇଥିଲା।