ମିଡ୍‌ ଡେ ମିଲରେ ପିଲାଙ୍କୁ ଚିକେନ୍‌-ମଟନ୍‌ କାହିଁକି ଦିଆଯାଉନି : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ (ସଂକେତ୍ ଟିଭି) ମିଡ୍‌ ଡେ ମିଲରେ ଚିକେନ୍‌-ମଟନ୍‌ କାହିଁକି ନୁହେଁ? ବୁଧବାର ଏକ ଆବେଦନର ଶୁଣାଣି ସମୟରେ ଏହି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଲାକ୍ଷ୍ମାଦ୍ୱୀପ ପ୍ରଶାସନକୁ ମାମଲାରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟାହ୍ନ ଭୋଜନ ଯୋଜନାରୁ ଚିକେନ ଏବଂ ମଟନ ବାଦ୍‌ ଦେବା ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ । ଏହା ପୂର୍ବରୁ ଲାକ୍ଷାଦ୍ୱୀପ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଚିକେନ-ମଟନ ଦିଆଯାଉଥିଲା ।

ଜଷ୍ଟିସ୍‌ ଅନିରୁଦ୍ଧ ବୋସ୍‌ ଏବଂ ଜଷ୍ଟିସ ସୁଧାଂଶୁ ଧୂଲିଆଙ୍କ ପୀଠ ଏକ ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ ଉପରେ ଶୁଣାଣି କରୁଥିଲେ, ଯେଉଁଥିରେ କେରଳ ହାଇକୋର୍ଟଙ୍କ ୨୦୨୧ ସେପେଫମ୍ବରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦିଆଯାଇଛି । ଲାକ୍ଷାଦ୍ୱୀପ ପ୍ରଶାସନଙ୍କ ମଧ୍ୟାହ୍ନ ଭୋଜନରୁ ମାଂସ ଏବଂ ମଟନ ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଉଚ୍ଚ ନ୍ୟାୟାଳୟ ଉକ୍ତ ଯାଚିକାକୁ ଖାରଜ କରିବାରୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପୀଠ ପ୍ରଶ୍ନ କରିଛନ୍ତି ଯେ, ଆପଣ ପିଲାଙ୍କୁ ଏଥିରୁ କାହିଁକି ବଞ୍ଚିତ କରୁଛନ୍ତି ? ଏହାର ଉତ୍ତର ଦେଇ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ କହିଛନ୍ତି, ପିଲାଙ୍କୁ ଏଥିରୁ ଆହୁରି ଉନ୍ନତ ଭୋଜନ ଦିଆଯାଉଛି । ପୀଠ ପୁଣି ପ୍ରଶ୍ନ କରିଛନ୍ତି ଯେ କଣ ଉନ୍ନତ ଦେଉଛନ୍ତି? କଣ ଚିକେନ୍‌ ଏବଂ ମଟନ ଜାଗାରେ ଡ୍ରାଇ ଫୁଡ୍ସ ଦିଆଯାଉଛି ? ଏହା ପରେ ଏଏସଜି ପୀଠଙ୍କ ସାମ୍ନାରେ ନୂତନ ମିଡ୍‌ ଡେ ମିଲ୍‌ ଯୋଜନା ଉପସ୍ଥାପନ କରିଥିଲେ । ଏହା ଦେଖିବା ପରେ ପୀଠ ପୁନର୍ବାର ପ୍ରଶ୍ନ କରିଛନ୍ତି ଯେ, ତାଲିକାରେ ଚିକେନ୍‌ ନାହିଁ ? ଧରି ନିଅନ୍ତୁ ଏହା ମୋର ଆହାର କିମ୍ବା ଭୋଜନରେ ପରମ୍ପରାଗତ ଅଭ୍ୟାସ୍‌ । ତେବେ ଆପଣ କେମିତି ଏହାକୁ ଅଲଗା କରି ପାରିବେ? ଏବେ ଲାକ୍ଷାଦ୍ୱୀପ ପ୍ରଶାସନକୁ ସୁପ୍ରିମକୋର୍ଟରେ ଉତ୍ତର ରଖିବାକୁ ପଡ଼ିବ ।