ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା, ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା

ଭୁବନେଶ୍ୱର(ସଂକେତ୍ ଟିଭି) ରାଜ୍ୟ ମନ୍ତ୍ରିମଣ୍ଡଳରେ କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଉଭୟେ ନିଜ ଇସ୍ତଫା ପଠାଇଛନ୍ତି ।

ସୂଚନା ଅନୁସାରେ, ପ୍ରଥମେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଶୁକ୍ରବାର ସଂଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରି ନିଜ ଇସ୍ତଫା ନେଇ ଘୋଷଣା କରିଥିଲେ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ସେ କହିଥିଲେ । ବାଚସ୍ପତି ଭାବେ ନିଷ୍ଠାର ସହ କାମ କରିଛି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତୁଲାଇବି । ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ ତୁଳାଇବି ବୋଲି କହିଛନ୍ତି ।

୨୦୨୨ରେ ହୋଇଥିବା ଅଦଳବଦଳରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ତାଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ(ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ) ମିଳିଥିଲା । ସେହିପରି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ଦଳର ଭାବମୂର୍ତ୍ତିକୁ ନିର୍ମଳ ରଖିବା ପାଇଁ ଏହି ଦୁଇ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। କାରଣ ଶ୍ରୀକାନ୍ତ ନାମରେ ପୂର୍ବରୁ ବିଜେଡି ଦଳରେ ୨୦ବର୍ଷ ଧରି କାର୍ଯ୍ୟ କରିଥିବା ଜଣେ ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ। ସେହିପରି ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପରେ ଆଙ୍ଗୁଳି ଉଠିଥିଲା।